ପ୍ରବଳ ବର୍ଷା ଆଶଙ୍କା, ଆଜି ଏହି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି

ମୟୂରଭଞ୍ଜ: ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ବୁଢାବଳଙ୍ଗ ନଦୀ । ବୁଢାବଳଙ୍ଗ ନଦୀର ବିପଦ ସଂକେତ ୨୯.୭୦ ଥିବା ବେଳେ ଆଜି ସକାଳେ ୨୩.୮୦ରେ ଜଳସ୍ତର ପ୍ରବାହିତ ହେଉଛି । ସେପଟେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଜାମଶୋଳା ନିକଟରେ କ୍ରମଶଃ କମିବାରେ ଲାଗିଛି । ମାତ୍ର ବାଲେଶ୍ୱର ଜିଲ୍ଲାର ରାଜଘାଟଠାରେ ବୃଦ୍ଧି ପାଉଥିବା ରେକର୍ଡ ହୋଇଛି । ସୁବର୍ଣ୍ଣରେଖା ନଦୀର ପ୍ରଭାବରେ ସାରସକଣା ଓ ରାସଗୋବିନ୍ଦପୁର ବ୍ଲକର କେତେକ ଅଂଚଳ ପ୍ରଭାବିତ ହୋଇଛି । ଏହି ଅଞ୍ଚଳରେ ଅନେକ କଚା ଘର ଏଵଂ ରାସ୍ତାଘାଟ ଭାଙ୍ଗିଯାଇଥିବା ବେଳେ ସାରସକଣା ବ୍ଲକର ଶୀର୍ଷା ଗ୍ରାମପଞ୍ଚାୟତର କେତେକ ଅଞ୍ଚଳ ପ୍ରଭାବିତ ହୋଇଛି । ନଦୀ କୂଳରେ ଥିବା ନେଦା ଗାଁ ପ୍ରଭାବିତ ହୋଇଛି । ପ୍ରାୟ ୩ ହଜାର ଲୋକମାନଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଅଣାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଅନୁରୂପ ଭାବରେ ରାସଗୋବିନ୍ଦପୁର ବ୍ଲକର ତୋଟାପଡା, ରାଘବପୁର ଏଵଂ ଟିକାୟତପୁର ପଂଚାୟତରେ ବନ୍ୟାଜଳ ପ୍ରବେଶ କରି ବହୁ କଚାଘର ଏଵଂ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଛି । ସେଠାରେ ମଧ୍ୟ ପ୍ରାୟ ୫ହଜାର ଲୋକମାନଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଅଣାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏଵଂ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଛି । ମୟୂରଭଞ୍ଜ ଜିଲ୍ଲାକୁ ରେଡ ୱ।ର୍ଣ୍ଣିଙ୍ଗ ଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ବିଦ୍ୟାଳୟକୁ ଆଜି ଗୋଟିଏ ଦିନ ପାଇଁଁ ଛୁଟି କରିବାକୁ ନିର୍ଦେଶ ଦେଇଛନ୍ତି । ଅପରପକ୍ଷରେ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକ ୩ ଦିନ ପାଇଁଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।