ଦୁର୍ଘଟଣାର ହେବ ସାଇଣ୍ଟିଫିକ ଇନଭେଷ୍ଟିଗେସନ, ତିଆରି ହୋଇଛି ଇଣ୍ଟିଗ୍ରେଟେଡ ରୋଡ୍ ଆକ୍ସିଡେଣ୍ଟ ଡାଟାବେସ୍ ଆପ୍

1 min read

ଭୁବନେଶ୍ୱର: ଦୁର୍ଘଟଣା ହ୍ରାସ କରିବା ଓ ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ବା ଗୋଲଡେନ ଆଓ୍ବାରରେ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରକ୍ଷକ ଯୋଜନା ଆରମ୍ଭ ହୋଇଛି । କିନ୍ତୁ ସଡକ ଦୁର୍ଘଟଣା ପରେ କିପରି ସାଇଣ୍ଟିଫିକ୍ ଇନଭେଷ୍ଟିଗସନ ହୋଇପାରିବ ସେ ନେଇ ପୋଲିସ ଓ ପରିବହନ ଅଧିକାରୀଙ୍କୁ ଦିଆଯାଇଛି ସ୍ବତନ୍ତ୍ର ତାଲିମ । ସଡକ ଦୁର୍ଘଟଣାର ହେବ ସାଇଣ୍ଟିଫିକ୍ ଇନଭେଷ୍ଟିଗେସନ୍ । ତିଆରି ହୋଇଛି ଇଣ୍ଟିଗ୍ରେଟେଡ ରୋଡ଼ ଆକ୍ସିଡେଣ୍ଟ ଡାଟାବେସ୍ ଆପ୍ । ରୋଡ଼ ଇଞ୍ଜିନିୟରିଂରେ ଆସିବ ବ୍ୟାପକ ସୁଧାର । ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି ।

ବର୍ଷକୁ ପାଖାପାଖି ୫ ହଜାର ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଛି । ଦୈନିକ ୧୫ ଜଣଙ୍କ ମୁଣ୍ଡ ଗଡୁଛି । ଏଥିରେ ରୋକ ଲଗାଇବା ଓ ତତ୍କାଳ ଚିକିତ୍ସା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ରକ୍ଷକ । ସେପଟେ ଆହୁରି କ୍ରିୟାଶୀଳ କରିବା ପାଇଁ ସରକାର ଆଣିଛନ୍ତି କ୍ରାସ୍ ଇନଭେଷ୍ଟିଗେସନ ପଲିସି । ଦୁର୍ଘଟଣାରେ ଏକାଧିକ ଲୋକ ମୃତାହତ ହେଲେ ସ୍ପେଶାଲ ଟିମ୍ ତଦନ୍ତ କରିବ । ଟିମ୍ ରେ ଜଣେ ପୋଲିସ ଅଧିକାରୀ, ଇଞ୍ଜିନିୟର, RTO ଓ ଜଣେ ବୈଷୟିକ ଅଧିକାରୀ ସାମିଲ ହେବେ । ୮ ଟି ଦିଗକୁ ନେଇ ୧୦ ଦିନ ଭିତରେ ପୋଲିସ ଆଇଜିକୁ ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରାଯିବ । ପରିବହନ ବିଭାଗ ଓ ପୋଲିସ କର୍ମଚାରୀଙ୍କୁ ଏ ସମ୍ପର୍କିତ ତାଲିମ ପ୍ରଦାନ କରିଛନ୍ତି ବିଶେଷଜ୍ଞ ।

ଦୁର୍ଘଟଣା ସମ୍ପର୍କିତ ସମସ୍ତ ଡାଟା IRAD ଆପ୍ଲିକେସନରେ ରହିବ । ଯାହା ଫଳରେ ଦୁର୍ଘଟଣାର ପ୍ରକୃତ କାରଣ, ତଦନ୍ତର ଦିଗ, କ୍ଷତିଗସ୍ତଙ୍କୁ କ୍ଷତିପୂରଣ ଦିଗରେ ସହାୟକ ହେବ । ସେହିପରି ଶୃଙ୍ଖଳିତ ଗାଡି ଚଳାଚଳ ଦିଗରେ ଟ୍ରାଫିକ ଭାୟୋଲେସନ ଡିଟେକ୍ଟର ସିଷ୍ଟମ କାମ କରିବ । ସିସିଟିଭି ଆଧାରରେ ଇ-ଚାଲାଣକୁ ଫୋକସ କରାଯିବ । ବାରମ୍ବାର ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରୁଥିବାରୁ NHAI ସହଯୋଗରେ ବ୍ଲାକସ୍ପଟ୍ ସ୍ଥାନରେ କିଭଳି ଜୀବନ ରକ୍ଷା କରାଯାଇପାରିବ ସେ ନେଇ ଟ୍ରେନିଂ ସେସନରେ ଗୁରୁତ୍ୱାରୋପ କରାଯାଇଛି । ସାମାନ୍ୟ ଅସାବଧାନତା ଓ ଖରାପ ରୋଡ଼ ଇଞ୍ଜିନିୟରିଂ ପାଇଁ ପାଣି ଫୋଟକା ଭଳି ଝଡିପଡୁଛି ଜୀବନ । ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ଦୁର୍ଘଟଣା ସଂଖ୍ୟା ରୋକାଯାଇପାରିବ ।