ଏସସିଓ ବୈଠକରେ ପାକିସ୍ତାନକୁ କଡ଼ା ଜବାବ, ଜୟଶଙ୍କର କହିଲେ ଆତଙ୍କବାଦ ଇଣ୍ଡଷ୍ଟ୍ରୀର ମୁଖପାତ୍ର ହୋଇ ଆସିଛନ୍ତି ବିଲୱାଲ

1 min read

ପାନାଜୀ: ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏସସିଓ ବୈଠକ ସମୟରେ ପାକିସ୍ତାନର ବିଦେଶ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଜରଦାରୀଙ୍କ ଉପସ୍ଥିତିରେ ପାକିସ୍ତାନକୁ ଭର୍ତ୍ସନା କରିଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନର ବିଶ୍ୱସନୀୟତା ଲଗାତାର ହ୍ରାସ ପାଉଛି । ଭାରତୀୟ ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଚୀନ୍ ଏବଂ ପାକିସ୍ତାନ ସହ ଆମର ସମ୍ପର୍କ ସାମାନ୍ୟ ନାହିଁ । ସୀମାରେ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଏ ସମ୍ପର୍କ ସାମାନ୍ୟ ହୋଇ ପାରିବ ନାହିଁ । ବୈଠକ ପରେ ଜୟଶଙ୍କର ପାକ୍ ବିଦେଶ ମନ୍ତ୍ରୀଙ୍କ ଉପରେ ବାକ୍ ଆକ୍ରମଣ କରି କହିଛନ୍ତି ଯେ ସେ ଆତଙ୍କବାଦ ଇଣ୍ଡଷ୍ଟ୍ରୀର ମୁଖପାତ୍ର ହୋଇ ଆସିଛନ୍ତି ।

ଜୟଶଙ୍କର ପାକ୍ ବିଦେଶ ମନ୍ତ୍ରୀଙ୍କ ଉପରେ ଟାର୍ଗେଟ କରି କହିଛନ୍ତି ଯେ, ଆତଙ୍କବାଦର ପୀଡିତ ଏବଂ ପୋଷଣ କରୁଥିବା ଲୋକ ଏକାସାଙ୍ଗରେ ବସିପାରିବେ ନାହିଁ । ବିଦେଶ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ଜମ୍ମୁ କାଶ୍ମୀର ଭାରତର ଏକ ଅଭିନ୍ନ ଅଙ୍ଗ ଥିଲା, ଅଛି ଏବଂ ରହିବ । ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ଜମ୍ମୁ କାଶ୍ମୀରରେ ମଧ୍ୟ ଜି-୨୦ ବୈଠକ ହେଉଛି, ଏଥିରେ କିଛି ବି ଆଶ୍ଚର୍ଯ୍ୟକର କଥା ନାହିଁ । ବିଦେଶ ମନ୍ତ୍ରୀ ଆଗକୁ କହିଛନ୍ତି, ପାକିସ୍ତାନ ସହ ଜି-୨୦ ଏବଂ ଶ୍ରୀନଗର ପ୍ରସଙ୍ଗ ହିଁ ନାହିଁ । ପାକିସ୍ତାନ ସହ କେବଳ ଏବଂ କେବଳ ପିଓକେ ହିଁ ପ୍ରସଙ୍ଗ ରହିଛି ।

ଭାରତ ପାକିସ୍ତାନ-ଚୀନ୍ ମଧ୍ୟରେ ତଥାକଥିତ କରିଡର ସମ୍ପର୍କରେ ଏସସିଓ ବୈଠକରେ ଗୋଟେଥର ନୁହେଁ ବରଂ ଦୁଇଥର ସ୍ପଷ୍ଟ କରିଛି ଯେ, କନେକ୍ଟିଭିଟି ବିକାଶ ପାଇଁ ଜରୁରୀ ଅଟେ କିନ୍ତୁ କନେକ୍ଟିଭିଟି କାହାର କ୍ଷେତ୍ରୀୟ ଅଖଣ୍ଡତାକୁ ଉଲ୍ଲଂଘନ କରିପାରିବ ନାହିଁ । ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଏସସିଓ ସଦସ୍ୟ ଦେଶର ବିଦେଶ ମନ୍ତ୍ରୀ ଭାବରେ ପାକିସ୍ତାନର ବିଦେଶମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଜରଦାରୀଙ୍କ ସହ ବାକି ବିଦେଶ ସଦସ୍ୟ ଦେଶର ବିଦେଶ ମନ୍ତ୍ରୀଙ୍କ ଭଳି ବ୍ୟବହାର କରାଯାଇଛି ।

କିନ୍ତୁ ଆତଙ୍କବାଦର ପ୍ରମୋଟର, ପ୍ରୋଟେକ୍ଟର ଏବଂ ଆତଙ୍କର ଇଣ୍ଡଷ୍ଟ୍ରିର ପ୍ରବକ୍ତା ଭଳି ତାଙ୍କର କାଉଣ୍ଟର କରାଗଲା । ଗୋଆର ରାଜଧାନୀ ପାନାଜୀରେ ଶୁକ୍ରବାର ବିଦେଶ ମନ୍ତ୍ରୀଙ୍କ ଏସସିଓ ପରିଷଦର ବୈଠକ ହୋଇଥିଲା । ବୈଠକ ପୂର୍ବରୁ ଭାରତୀୟ ବିଦେଶ ମନ୍ତ୍ରୀ ଡା. ଏସ୍ ଜୟଶଙ୍କର ଏସସିଓର ସଦସ୍ୟ ଦେଶମାନଙ୍କର ବିଦେଶ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହି ବୈଠକରେ ସାମିଲ ହେବା ପାଇଁ ପାକିସ୍ତାନର ବିଦେଶ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଜରଦାରୀ ମଧ୍ୟ ଭାରତରେ ପହଞ୍ଚିଥିଲେ । ଶୁକ୍ରବାର ବିଦେଶ ମନ୍ତ୍ରୀମାନଙ୍କ ବୈଠକ ପୂର୍ବରୁ ଭାରତୀୟ ବିଦେଶମନ୍ତ୍ରୀ ପାକିସ୍ତାନୀ ବିଦେଶ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।