ଇଭିଏମରେ ସିଲ ୧ ହଜାର ୬୨୫ ପ୍ରାର୍ଥୀଙ୍କ ଭାଗ୍ୟ

ନନ୍ଦିଘୋଷ ବ୍ୟୁରୋ : ସରିଲା ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ଇଭିଏମରେ ସିଲ ୧ ହଜାର ୬୨୫ ପ୍ରାର୍ଥୀଙ୍କ ଭାଗ୍ୟ। ୯ କେନ୍ଦ୍ରମନ୍ତ୍ରୀ, ଦୁଇ ପୂର୍ବତନ ମୁଖ୍ଯମନ୍ତ୍ରୀ, ଜଣେ ପୂର୍ବତନ ରାଜ୍ଯପାଳ ଓ ଅନେକ ହେଭିୱେଟଙ୍କ ଭାଗ୍ଯ ନିର୍ଣ୍ଣୟ କରିଛନ୍ତି ଭୋଟର। କାଁ ଭାଁ ହିଂସା ବ୍ଯତୀତ ୨୧ ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ସରିଛି ମତଦାନ। ୧ ଲକ୍ଷ ୮୭ ହଜାର ପୋଲିଂ ଷ୍ଟେସନରେ ମତାଧିକାର ସାବ୍ଯସ୍ତ କରିଛନ୍ତି ୧୬ କୋଟି ୬୩ ଲକ୍ଷ ଭୋଟର। ତାମିଲନାଡୁର ସମସ୍ତ ୩୯ ଲୋକସଭାରେ ମତଦାନ ହୋଇଛି। ଯେଉଁ ୯ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ଯ ନିର୍ଦ୍ଧାରଣ ହୋଇଛି ସେମାନେ ହେଲେ ନୀତୀନ ଗଡକରୀ, କିରେଣ ରିଜିଜୁ, ସର୍ବାନନ୍ଦ ସୋନୱାଲ, ସଞ୍ଜୀବ ବାଲିଆନ, ଜିତେନ୍ଦ୍ର ସିଂ, ଭୂପେନ୍ଦ୍ର ଯାଦବ, ଅର୍ଜୁନ ରାମ ମେଘୱାଲ, ଏଲ. ମୁରୁଗାନ, ନୀତୀଶ ପ୍ରାମାଣିକ। ପୂର୍ବତନ ରାଜ୍ଯପାଳ ତାମିଲସାଇ ସୂନ୍ଦରରାଜନଙ୍କର ବି ହୋଇଛି ଭାଗ୍ଯ ପରୀକ୍ଷା। ପଶ୍ଚିମବଙ୍ଗ କୁଚବେହାରରେ ତୃଣମୂଳ କଗ୍ରେସ କର୍ମୀ ଓ ବିଜେପି କର୍ମୀଙ୍କ ମଧ୍ଯରେ ସଂଘର୍ଷ ଘଟିଥିଲା। ଉତ୍ତରପ୍ରଦେଶ ମୁଜାଫର ନଗରରେ ବିଜେପି କର୍ମୀ ବୁଥ୍ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ମଣିପୁରର ଏକ ବୁଥରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ନିର୍ବାଚନରେ ସାରା ଦେଶରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ସାଧାରଣ ଜନତା, ନବଦମ୍ପତି, ବୃଦ୍ଧବୃଦ୍ଧା ପ୍ରମୁଖ ଭୋଟଦାନ କରିଛନ୍ତି। ଆସନ୍ତା ଏପ୍ରିଲ ୨୬ରେ ୧୨ ରାଜ୍ଯର ୮୮ ଆସନରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଜୁନ ୪ରେ ହେବ ଭୋଟ ଗଣନା।