ଲଗାତର ଦ୍ୱିତୀୟ ଥର ପାଇଁ ୧ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ, କିନ୍ତୁ ପୂର୍ବାପେକ୍ଷା କମିଛି

ନୂଆଦିଲ୍ଲୀ: ୧ଲକ୍ଷ କୋଟି ଟପିଲା ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ସଂଗ୍ରହ । ଲଗାତାର ଦ୍ୱିତୀୟ ମାସ ପାଇଁ ୧ଲକ୍ଷ କୋଟି ଟପିଲା ଜିଏସଟି ସଂଗ୍ରହ । ଅଗଷ୍ଟ ମାସରେ ଜିଏସ୍‌ଟି ବାବଦକୁ ସରକାର ୧.୧୨ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଏହା ଗତବର୍ଷ ଏହି ସମୟରେ ସଂଗ୍ରହ ହୋଇଥିବା ଜିଏସ୍‌ଟି ରାଜସ୍ୱ ଠାରୁ ୩୦% ଅଧିକ। କିନ୍ତୁ ଜୁଲାଇ ମାସରେ ହୋଇଥିବା ଜିଏସ୍‌ଟି ତୁଳନାରେ କମ୍ । ଜୁଲାଇ ମାସରେ ୧.୧୬ଲକ୍ଷ କୋଟି ଆଦାୟ ହୋଇଥିଲା । ୨୦୨୧ ମସିହା ଅଗଷ୍ଟ ମାସରେ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ପରିମାଣ ୧,୧୨,୦୨୦ କୋଟି ରହିଛି। ଏହା ମଧ୍ୟରେ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣ ୨୦,୫୨୨ କୋଟି ଓ ରାଜ୍ୟ ଜିଏସ୍‌ଟି ୨୬,୬୦୫ କୋଟି ରହିଥିବା ବେେଳ ୫୬ ହଜାର ୨୪୭ କୋଟି ଆଜିଏସଟି ରହିଛି ।

ତେବେ ଏଥର ଜୁଲାଇ ମାସ ତୁଳନାରେ କମ ହୋଇଥିଲେ ହେଁ ୨୦୨୦ ଅଗଷ୍ଟ ମାସରେ ୮୬,୪୪୯ କୋଟିର ଜିଏସ୍‌ଟି ସଂଗ୍ରହ ତୁଳନାରେ ୩୦ ପ୍ରତିଶତ ଅଧିକ । ଦୀର୍ଘ ୯ ମାସ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ଉପରେ ରହିବା ପରେ ଚଳିତ ବର୍ଷ ଜୁନ ମାସରେ ଏହା ହ୍ରାସ ପାଇଥିଲା। ମହାମାରୀ କରୋନାର ଦ୍ୱିତୀୟ ଲହର ପାଇଁ ଏପରି ଘଟିଥିବା କୁହାଯାଇଥିଲା। ତେବେ ସଂକ୍ରମଣ କମିବା ପରେ କଟକଣା ହଟିବାରୁ ଜୁଲାଇ ମାସରେ ଜିଏସ୍‌ଟି ସଂଗ୍ରହ ରେକର୍ଡ ୧.୧୬ ଲକ୍ଷ କୋଟିରେ ପହଞ୍ଚିଥିଲା। ଆଗକୁ ମଧ୍ୟ ଏହା ବଢ଼ିବ ବୋଲି ଆଶା କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ଆଫଗାନିସ୍ତାନକୁ ଫେରିଲା ଲାଡେନ୍ ସହଯୋଗୀ: କଶ୍ମୀର ସମସ୍ୟା ଘନିଭୂତ ଆଶଙ୍କା

Leave a Reply