ଶବ ସକ୍ତାର ପାଇଁ ମିଳିଲାନି ଶ୍ମଶାନ, ଉତ୍ତେଜନାରୁ ଲାଗିଲା ୧୪୪

ନବରଙ୍ଗପୁର: ଶବ ସକ୍ତାର ପାଇଁ ଶ୍ମଶାନ ନମିଳିବା ଘଟଣାକୁ ନେଇ ପୁଣି ଉମରକୋଟରେ ଉତ୍ତେଜନା ଦେଖାଦେଇଛି । ଘଟଣାକୁ ୨୪ ଘଣ୍ଟା ପୁରିଥିଲେ ବି କୌଣସି ନିଷ୍କର୍ସ ନବାହାରିବାରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ଆନ୍ଦୋଳନକାରୀ ନିଜ ଜିଦ୍ଦିରେ ଅଡି ବସିଥିବାରୁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଛି । ରାସ୍ତାକଡରେ ପୋତା ଯାଇଥିବା ଶବକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ଗତକାଲିଠୁ ସ୍ଥାନୀୟ ଲୋକେ ଆନ୍ଦୋଳନ ଜାରି ରଖିଛନ୍ତି ।

ବର୍ତ୍ତମାନ ଯାଏ କୌଣସି ସମାଧାନ ବାହାରି ପାରିନାହିଁ । ପ୍ରଥମେ ରାସ୍ତା କଡ଼ରେ ପୋତା ଯାଇଥିବା ଶବକୁ ସେଠାରୁ ଖୋଳାଯାଇ ଅନ୍ୟ ସ୍ଥାନରେ ପୋତାଯାଉ ବୋଲି ଆନ୍ଦୋଳନ କାରୀ ଗୋଟିଏ ଜିଦରେ ଅଡି ବସିଛନ୍ତି । ପ୍ରଶାସନ ଏଥିପାଇଁ କିଛି ସମୟ ମାଗିବା ସହ ଅଲଗା ସ୍ଥାନରେ ଶ୍ମଶାନ ପାଇଁ ଜାଗା ଦେବାକୁ ପ୍ରତିଶ୍ରୁତି ଦେଇଛି ।

କିନ୍ତୁ ପ୍ରଶାସନର ଏହି ନିଷ୍ପତିକୁ ମାନିବାକୁ ରାଜି ନାହାନ୍ତି ଆନ୍ଦୋଳନକାରୀ । ସେପଟେ ୧୪୪ ଧାରା ଆଜି ରାତି ୯ ଟାରୁ ୧୨ ତାରିଖ ରାତି ୯ଟା ଯାଏ ବଳବତ୍ତର ରହିବ । ଶ୍ମଶାନ ପାଇଁ ରହିଥିବା ବିବାଦକୁ ଅତିଶୀଘ୍ର ସମାଧାନ କରାଯିବା ସହ ଉମରକୋଟ ସହର ରେ ଶାନ୍ତି ଫେରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ ।