ହସୁଛି ଆର୍ଜେଣ୍ଟିନା ଜଳୁଛି ଫ୍ରାନ୍ସ, ପୋଲିସ ଛାଉଣୀରେ ଭର୍ତ୍ତି ପ୍ୟାରିସ୍‌

1 min read

ପ୍ୟାରିସ: ଫିପା ବିଶ୍ବକପ୍‌ରେ ଫ୍ରାନ୍ସକୁ ହରାଇ ଦମ୍‌ଦାର ବିଜୟ ହାସଲ କରିଛି ଆର୍ଜେଣ୍ଟିନା । ପେନାଲ୍ଟି ଶୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନା ୪-୨ରେ ବାଜି ମାରିନେଇଛି । ତେବେ ଫାଇନାଲ ମୁକାବିଲାରେ ଫ୍ରାନ୍ସର ପରାଜୟ ପରେ ଫ୍ରାନ୍ସର ବିଭିନ୍ନ ସହରରେ ଦଙ୍ଗା ସ୍ଥିତି ଉପୁଜିଛି । ଫ୍ରାନ୍ସର ପରାଜୟକୁ ଗ୍ରହଣ କରି ନପାରି ପ୍ରଶଂସକମାନେ ବ୍ୟାପକ ହିଂସା ଘଟାଇଛନ୍ତି । ରାଜଧାନୀ ପ୍ୟାରିସ୍ ସମେତ ନିସ, ଲେଅନ ଆଦି ସହରରେ ଫୁଟବଲ ଫ୍ୟାନମାନେ ରାସ୍ତା ଉପରେ ଉତ୍ପାତ କରିଥିଲେ । ରାଜଧାନୀ ପ୍ୟାରିସରେ ପ୍ରଶଂସକମାନେ ବ୍ୟାପକ ହିଂସା ଘଟାଇଛନ୍ତି ।

ବିଭିନ୍ନ ଗାଡି ପୋଡାଜଳା କରିବା ସହ ଭଙ୍ଗାରୁଜା କରିଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବିକ୍ଷୋଭକାରୀଙ୍କ ଉପରକୁ ଲୁହାବୁହା ଗ୍ୟାସ୍ ମାଡ଼ କରିଛି । ଫିଫା ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଫ୍ରାନ୍ସର ବିଭିନ୍ନ ସ୍ଥାନରେ ବଡ ବଡ ସ୍କ୍ରିନ୍ ଲଗାଯାଇଥିଲା । ତେବେ ଫ୍ରାନ୍ସର ପରାଜୟ ପରେ ଫ୍ୟାନ୍‌ମାନେ ଉତ୍ତେଜିତ ହୋଇପଡିଥିଲେ। ସେଠାରେ ଲାଗିଥିବା ସ୍କ୍ରିନ୍‌କୁ ଚିରି ଦେବା ସହ ପୋଡି ଦେଇଥିଲେ। ଏହି ହିଂସାର କିଛି ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ହିଂସାକୁ କାବୁ କରିବା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।