ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ଗୁଇନ୍ଦାଗିରି କରୁଥିବା ସନ୍ଦିଗ୍ଧ ଚାଇନିଜ୍ ମହିଳା ଗିରଫ

ପାଟନା: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ଧମକ ଦେଇଥିବା ମହିଳାଙ୍କୁ ଧରିଲା ବିହାର ପୋଲିସ । ଗୟା ପୋଲିସ ତାଙ୍କୁ ହେପାଜତକୁ ନେଇ ପଚରା ଉଚରା କରୁଛି । ସନ୍ଦିଗ୍ଧ ଚାଇନିଜ ମହିଳା ଗୁପ୍ତଚରଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ । ବିହାର ପୋଲିସ ଚାଇନିଜ ଗୁପ୍ତଚରକୁ ବୋଧଗୟାର କାଳଚକ୍ର ଗ୍ରାଉଣ୍ଡ ବାହାରୁ ଧରିଛି । ଏହି ସ୍ଥାନକୁ ଦଲାଇ ଲାମା ପ୍ରତିଦିନ ପ୍ରବଚନ ଦେବାକୁ ଆସନ୍ତି । ବିହାର ପୋଲିସ ମୁତାବିକସ ସନ୍ଦିଗ୍ଧ ଚାଇନିଜ୍ ମହିଳାଙ୍କ ନାଁ ସଙ୍ଗ ସିଆଓଲାନ ଅଟେ ।

ମହିଳା ଜଣଙ୍କ ୨୦୧୯ରେ ଭାରତ ଆସିଥିଲେ । କିନ୍ତୁ ସେ ଚୀନ ଫେରିଯାଇଥିଲେ । ଏହାପରେ ପୁଣିଥରେ ଭାରତ ଆସିଥିଲେ ଓ ନେପାଳ ଚାଲି ଯାଇଥିଲେ । ନେପାଳରେ କିଛିଦିନ ବିତାଇବା ପରେ ପୁଣିଥରେ ବୋଘଗୟା ଆସିଥିଲେ । ବୌଧ ଧର୍ମଗୁରୁ ଦଲାଇ ଲାମାଙ୍କ ଗୁଇନ୍ଦାଗିରି କରୁଥିବା ମଧ୍ୟ ଖବର ମିଳିଥିଲା । ଏହାପରେ ପୋଲିସ ସ୍କେଚ୍ ଜାରି କରି ତାଙ୍କୁ ଖୋଜୁଥିଲା । ଗୟା ସିଟି ପୋଲିସ ଏସପି ଅଶୋକ ପ୍ରସାଦ ତାଙ୍କୁ ଜେରା କରୁଛନ୍ତି । ପ୍ରକାଶଥାଉକି, ଏହା ପୂର୍ବରୁ ବିହାର ପୋଲିସ ସନ୍ଦିଗ୍ଧ ଗୁପ୍ତଚରର ସ୍କେଚ ଜାରି କରିଥିଲା । ଏହାରି ମଧ୍ୟରେ ବୋଧଗୟାରେ ଦଲାଇ ଲାମାଙ୍କ ସୁରକ୍ଷାକୁ ନେଇ ମଧ୍ୟ ଆଲର୍ଟ ଜାରି କରାଯାଇଥିଲା ।

କୁହାଯାଉଛି ଯେ ବୌଧ ଧର୍ମଗୁରୁଙ୍କୁ ଚୀନର ଏହି ମହିଳା ଜଣଙ୍କ ଧମକ ଦେଇଥିଲେ । ଏହି ଧମକକୁ ନେଇ ଦଲାଇ ଲାମା କହିଥିଲେ ଯେ ମୋ ବିରୋଧରେ କ୍ରୋଧ ଉତ୍ତେଜିତ କରୁଥିବା ଲୋକଙ୍କ ପ୍ରତି ମୋ ମନରେ କୌଣସି ଦୁର୍ଭାବନା ନାହିଁ । ଉଲ୍ଲେଖଯୋଗ୍ୟ, ଦଲାଇ ଲାମା ଏକ ମାସ ହେବ ବୋଧଗୟା ପ୍ରବାସରେ ଅଛନ୍ତି । ତାଙ୍କ ସୁରକ୍ଷାକୁ ନେଇ ତିଦ୍ଦତ ମନ୍ଦିରରୁ ନେଇ ମହାବୋଧି ମନ୍ଦିର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତ ୨୨ ଡିସେମ୍ବରରେ ଦଲାଇ ଲାମା ବୋଧଗୟା ପହଞ୍ଚିଥିଲେ ।