ନନ୍ଦିଘୋଷ ବ୍ୟୁରୋ: ପୁଣି ବଢ଼ିଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ l ୧୬ ବର୍ଷ ତଳର ବିଦ୍ରୋହ ମୂଳରେ ହସିନାଙ୍କୁ ଦୋଷୀ ଦର୍ଶାଇଛି ଏକ କମିଶନ l ବାଂଲାଦେଶ ରାଇଫଲ୍ସର ଏକ ବିଦ୍ରୋହରେ ବହୁ ବରିଷ୍ଠ ସାମରିକ ଅଧିକାରୀଙ୍କୁ ହତ୍ୟା ମୂଳରେ ହସିନା ସମ୍ପୃକ୍ତ ଥିଲେ ବୋଲି ଦର୍ଶାଇଛି କମିଶନ l କେବଳ ଏତିକି ନୁହେଁ ବାଂଲାଦେଶ ସେନାକୁ ଦୁର୍ବଳ କରିବାରେ ଭାରତର ହାତ ଥିଲା ବୋଲି କମିଶନ କହିଛ l ମାନବିକତା ବିରୋଧୀ ଅପରାଧ ଅଭିଯୋଗ ଆଧାରରେ ଗତ ନଭେମ୍ବର ୧୭ରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ହସିନାଙ୍କ ଲାଗି ଆଉ ଏକ ବିପଦ ସୃଷ୍ଟି ହୋଇଛି l
ଗତବର୍ଷ ହୋଇଥିବା ଆନ୍ଦୋଳନ ପରେ ବାଂଲାଦେଶ ଛାଡ଼ି ଭାରତ ଚାଲିଆସିଥିବା ହସିନାଙ୍କ ବିରୋଧରେ ବିଭିନ୍ନ ମାମଲାର ଜାରି ରହିଛି ତଦନ୍ତ l ସାମରିକ ଅଧିକାରୀ ହତ୍ୟା ମାମଲାର ତଦନ୍ତ ଲାଗି ଏକ ତଦନ୍ତ କମିଶନ ଗଠନ କରିଥିଲେ ଅନ୍ତରୀଣ ଶାସକ ମହମ୍ମଦ ୟୁନୁସ l ବିଗତ ୨୦୦୯ରେ ହସିନା କ୍ଷମତାକୁ ଆସିବା ମାତ୍ରେ ବାଂଲାଦେଶ ରାଇଫଲ୍ସରେ ଦେଖାଦେଇଥିଲା ବିଦ୍ରୋହ l ଏହାର ପ୍ରଭାବ ଢାକ୍କା ସମେତ ସାରା ଦେଶରେ ପଡ଼ିଥିଲା ଏବଂ ଏଥିରେ ପ୍ରାଣ ହରାଇଥିଲେ ବହୁ ସାମରିକ ଅଧିକାରୀ ସମେତ ୭୨ ଜଣ l
କମିଶନର ଅଧ୍ୟକ୍ଷ ଏଏଲଏମ ଫାଜଲୁର ରହମାନ କହିଛନ୍ତି-ଆଓ୍ବାମି ଲିଗ ସରକାର ଏହି ବିଦ୍ରୋହରେ ସାମିଲ ଥିଲା ଏବଂ ହସିନାଙ୍କ ନିର୍ଦ୍ଦେଶରେ ପୂର୍ବତନ ଏମପି ଫାଜଲ ନୁର ତାପୋସ ଏହି ବିଦ୍ରୋରର ମାଷ୍ଟରମାଇଣ୍ଡ ଥିଲେ l କମିଶନ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ବିଦ୍ରୋହ ପଛରେ ବିଦେଶୀ ଶକ୍ତିର ହାତ ଥିବା କୁହାଯାଇଛି l ବାଂଲାଦେଶର ଅସ୍ଥିରତା ସୃଷ୍ଟି ଲାଗି ଭାରତ ଚାହିଁଥିଲା l ସେହି ସମୟରେ ପ୍ରାୟ ୯୨୧ ଭାରତୀୟ ବାଂଲାଦେଶକୁ ଚାଲିଆସିଥିଲେ l ସେମାନଙ୍କ ମଧ୍ୟରୁ ୬୭ଜଣଙ୍କ ପତ୍ତା ମିଳି ନଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି l ସେପଟେ ବାଂଲାଦେଶ ହାତରେ ତୁରନ୍ତ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ପୁଣି ଦାବି ଦୋହରାଇଛନ୍ତି ବିଦେଶ ବ୍ୟାପାର ପରାମର୍ଶଦାତା ମହମ୍ମଦ ତୁହିଦ ହୋସେନ l

