ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ପ୍ରତିଦିନ ଜମୁଛି ପ୍ରବଳ ଭିଡ଼ । ଆଉ ଲମ୍ବା ଧାଡ଼ିରେ ଠିଆ ହୋଇ ଡହଳବିକଳ ହେଉଛନ୍ତି ବୃଦ୍ଧବୃଦ୍ଧା । ଅନେକ ସମୟରେ ଶ୍ରୀମନ୍ଦିର ଯାଇ ନପାରି ନିରାଶ ଫେରୁଛନ୍ତି ବରିଷ୍ଠ ନାଗରିକ । ବିଶେଷ କରି ପୁରୀରେ ରହୁଥିବା ବୟସ୍କଙ୍କ ପାଇଁ ଶ୍ରୀମନ୍ଦିରକୁ ଯିବା କଷ୍ଟସାଧ୍ୟ ହୋଇଛି । ପରିଣତ ବୟସରେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଘଣ୍ଟା ଘଣ୍ଟା ଧରି ଠିଆ ହେବା ସେମାନଙ୍କ କଷ୍ଟକର ହେଉଛି । ଜିଲ୍ଲା ପ୍ରଶାସନ ସେମାନଙ୍କ ପାଇଁ କୌଣସି ସ୍ବତନ୍ତ୍ର ବ୍ଯବସ୍ଥା କରି ନଥିବାରୁ କ୍ଷୋଭ ପ୍ରକାଶ କରିବା ସହ ଦାବି ଉଠାଇଛି ବରିଷ୍ଠ ନାଗରିକ ସଂଘ ।
କେବଳ କାଳିଆ ଦର୍ଶନ ନୁହେଁ ପୁରୀ ବଡ଼ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବରିଷ୍ଠଙ୍କ ପାଇଁ ନାହିଁ ସ୍ବତନ୍ତ୍ର ବ୍ଯବସ୍ଥା । ସ୍ବାସ୍ଥ୍ଯ ପରୀକ୍ଷା ପାଇଁ ଯାଇ ଟିକେଟ ଧରି ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡୁଛି । ଗମନା ଗମନ ବ୍ୟବସ୍ଥା ହେଉ ଅଥବା ଅନ୍ୟ କୌଣସି ମୌଳିକ ସେବା, ସବୁଥିରେ ଉପକ୍ଷିତ ହେଉଛନ୍ତି ବରିଷ୍ଠ ନାଗରିକ । ଏନେଇ ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଜିଲ୍ଲା ପ୍ରଶାସନ ସହ ବୈଠକ କରାଯାଇ ସ୍ବତନ୍ତ୍ର ନିୟମ ଆଣିବାକୁ ଦାବି କରାଯାଇଛି । ସେମାନଙ୍କ ଦାବିକୁ ଯଥାର୍ଥ କହିବା ସହ ସମସ୍ୟାର ସମାଧାନ ନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପୁରୀ ଜିଲ୍ଲାପାଳ । ପୂର୍ବରୁ ବରିଷ୍ଠଙ୍କ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା ଥିବାରୁ ପ୍ରତିଦିନ ମହାପ୍ରଭୁଙ୍କୁ ଦର୍ଶନ କରି କୃତାର୍ଥ ହେଉଥିଲେ ପୁରୀବାସୀ । ତେଣୁ ଏନେଇ ସ୍ବତନ୍ତ୍ର ନୀତି ନିଆ ନଗଲେ ସ୍ଥିତି ବିଗିଡ଼ିବା ଆଶଂକା କରାଯାଉଛି ।

