spot_img

Latest Posts

ମୋକିମଙ୍କୁ ବହିଷ୍କାର ନେଇ ରାଜ୍ୟ କଂଗ୍ରେସରେ ହଲଚଲ, ସପକ୍ଷରେ ବାହାରୁଛନ୍ତି ଜଣକ ପରେ ଜଣେ ବରିଷ୍ଠ

ମୋକିମଙ୍କୁ ବହିଷ୍କାର ନେଇ ରାଜ୍ୟ କଂଗ୍ରେସରେ ହଲଚଲ, ସପକ୍ଷରେ ବାହାରୁଛନ୍ତି ଜଣକ ପରେ ଜଣେ ବରିଷ୍ଠ

ନନ୍ଦିଘୋଷ ବ୍ୟୁରୋ: ବିବାଦ ପରେ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏବେ ବହିଷ୍କାରକୁ ନେଇ ରାଜ୍ୟ କଂଗ୍ରେସରେ ହଲଚଲ ପରେ କେନ୍ଦ୍ରୀୟ ନେତା ମୋକିମଙ୍କ ସହ କରିଛନ୍ତି ଆଲୋଚନା । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓ ପଓ୍ବନ ଖେରା ଫୋନରେ କଥା ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଜଣକ ପରେ ଜଣେ ବରିଷ୍ଠ ନେତା ମୋକିମ ସପକ୍ଷରେ ବାହାରୁଥିବାରୁ, ଦଳରେ ତାଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ଆରମ୍ଭ ହୋଇଛି ନାନା ଚର୍ଚ୍ଚା ।

ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କାର ପରେ ତାଙ୍କ ପ୍ରତି ବଢିବାରେ ଲାଗିଛି ସମର୍ଥନ । ଓଡ଼ିଶାର ବରିଷ୍ଠ ନେତା ମୋକିମଙ୍କ ସପକ୍ଷରେ ବାହାରିବା ପରେ, ବହିଷ୍କାରର ୨ ଦିନ ପରେ ତାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ନେତା । ଏ ପ୍ରସଙ୍ଗରେ ମୁହଁ ଖୋଲି ମୋକିମ କହିଛନ୍ତି, ଦଳର ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ପରବର୍ତ୍ତି ନିଷ୍ପତ୍ତି ନେବି । ଅନ୍ୟପଟେ ମୋକିମଙ୍କ ସପକ୍ଷରେ ବାହାରିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ସେପଟେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ମହମ୍ମଦ ମୋକିମ ଦଳକୁ ଫେରିବେ । ତାଙ୍କ କଥା ଶୀର୍ଷ ନେତୃତ୍ବ ବିଚାର କରିବେ ।

ରାଜ୍ୟ କଂଗ୍ରେସରେ ପିସିସି ସଭାପତି ଭକ୍ତ ଦାସ ଓ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝଡ ଥମୁ ନାହିଁ । ପ୍ରତିଦିନ ରାଜ୍ୟ ଓ କେନ୍ଦ୍ରୀୟ ନେତା ମୋକିମଙ୍କ ସମର୍ଥନରେ ବାହାରିବା ଦଳୀୟ ରାଜନୀତିକୁ ସରଗରମ କରିଛି ।

ବିଜୟ ମହାପାତ୍ରଙ୍କୁ ଭେଟିଲେ ମୋକିମ

ଏହାରି ଭିତରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ତାଙ୍କ ଘରେ ଭାଟିଛନ୍ତି ମୋକିମ । ସେ ତାଙ୍କ ଘରକୁ ଯାଇ ବିଜୟଙ୍କୁ ଭେଟିବା ସହ କିଛି ସମୟ କଥା ହୋଇଛନ୍ତି । ତେବେ ଉଭୟ ନେତାଙ୍କ ଭିତରେ କ’ଣ ଆଲୋଚନା ହୋଇଛି ତାହା ସ୍ପଷ୍ଠ ହୋଇନାହିଁ । ବିଜୟଙ୍କୁ ଭେଟିବା ପରେ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଆସିଥିବା କହିଛନ୍ତି ମୋକିମ । ତେବେ ନୂଆ ଦଳ ଗଢ଼ିବା ଓ ରାଜ୍ୟରେ ନୂଆ ସମୀକରଣ ନେଇ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇ ଯାଇଛନ୍ତି ।

Latest Posts

Don't Miss