ଆରପାରିରେ ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର

ବ୍ରହ୍ମପୁର: ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସକାଳର ଦକ୍ଷିଣ ଓଡ଼ିଶା ସଂସ୍କରଣ ମୁଖ୍ୟ ଡକ୍ଟର ଜଗନମୋହନ ମହାପାତ୍ରଙ୍କ ପରଲୋକ । ଆଜି ସକାଳେ ହୃଦଘାତରେ ଜଗନମୋହନ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ଡକ୍ଟର ଜଗନମୋହନ ମହାପାତ୍ର ଦୀର୍ଘ ୩୦ ବର୍ଷ ଧରି ପ୍ରତ୍ୟକ୍ଷ ସାମ୍ବାଦିକତା ସହ ଜଡ଼ିତ ଥିଲେ । ୧୯୯୩ ମସିହାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରୁ ସ୍ନାତ୍ତକତୋର ପାସ୍ କରିବା ପରେ ସାମ୍ବାଦିକତାକୁ ପେଶା ରୂପେ ଗ୍ରହଣ କରିଥିଲେ । ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ଜଣେ ଲୋକପ୍ରିୟ ସାମ୍ବାଦିକ ଭାବରେ ସୁନାମ ଅର୍ଜନ କରିଥିଲେ ଶ୍ରୀ ମହାପାତ୍ର । କଳାସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ମଧ୍ୟ ସେ ବେଶ୍ ସକ୍ରିୟ ଥିଲେ । ଏହା ବ୍ୟତିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଭ୍ରାମ୍ୟମାଣ ଅଧ୍ୟାପକ ଭାବରେ ମଧ୍ୟ ଶିକ୍ଷାଦାନ କରୁଥିଲେ । ବ୍ରହ୍ମପୁରରେ ଆଞ୍ଚଳିକ କେବୁଲ ଟେଲିଭିଜନ ପ୍ରତିଷ୍ଠା କ୍ଷେତ୍ରରେ ସେ ଅଗ୍ରଣୀ ଭୂମିକା ନେଇଥିଲେ । ଗତବର୍ଷ ସ୍ବର୍ଗତ ପ୍ରଫେସର ସୁନୀଲ ବେହେରାଙ୍କ ଅଧିନରେ ଗବେଷଣା କରି ସେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ । ଜଣେ ମେଳାପୀ, ବନ୍ଧୁବତ୍ସଲ ଓ ପରୋପକାରୀ ବ୍ୟକ୍ତି ଭାବରେ ବେଶ୍ ଜଣାଶୁଣା ଥିଲେ ଡକ୍ଟର ମହାପାତ୍ର ।

ଡକ୍ଟର ଜଗନମୋହନ ମହାପାତ୍ର ନିଜ ଘର ଖଲିକୋଟ ନିକଟସ୍ଥ ବାଲୁଙ୍କେଶ୍ବରପୁର ଶାସନ । ସ୍ବର୍ଗତ ମହାପାତ୍ରଙ୍କ ପିତା ତାରାପ୍ରସାଦ ମହାପାତ୍ର ଗଞ୍ଜାମର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ । ବିଶିଷ୍ଟ ଜ୍ୟୋତିଷ ବିଷାରଦ ବାଇକୋଳି ମହାପାତ୍ରଙ୍କ ନାତି ଥିଲେ ଡକ୍ଟର ଜଗନମୋହନ ମହାପାତ୍ର । ତାଙ୍କର ୧୮ ବର୍ଷ ବୟସର କନ୍ୟା ଓ ପତ୍ନୀ ମୃତ୍ୟୁବେଳକୁ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସମଗ୍ର ରାଜ୍ୟର ସାମ୍ବାଦିକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ସକାଳ ଓ ନନ୍ଦିଘୋଷ ଟିଭିର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଡକ୍ଟର ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଅପୁରଣୀୟ କ୍ଷତି ବୋଲି  କହିଛନ୍ତି । ସେହିଭଳି ନନ୍ଦିଘୋଷ ଟିଭିର ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର, ନନ୍ଦିଘୋଷ ଟିଭିର ସିଓଓ ଜବର ସିଂ ପନୱାର, ଦୈନିକ ସକାଳର ସଂପାଦକ ଡକ୍ଟର ଉମାକାନ୍ତ ମିଶ୍ର, ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ ମଲ୍ଲିକ ଗଭୀର ଶୋକବ୍ୟକ୍ତ କରିଛନ୍ତି ।