ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା, କହିଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିରପେକ୍ଷ ହେବନି

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା ଘଟଣା । କୋର୍ଟଙ୍କ ତତ୍ତ୍ବାବଧାନରେ ଘଟଣାରେ ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ରାଜ୍ୟପାଳଙ୍କୁ ଭୁବନେଶ୍ୱର ସାଂସଦ ଟାଣିଛନ୍ତି । ବାଲେଶ୍ଵର ଘଟଣାରେ ରାଜ୍ୟପାଳ ତଦନ୍ତ କରିଛନ୍ତି ବୋଲି କହିଛନ୍ତି । ତେଣୁ ରାଜ୍ୟପାଳ ଏ ଘଟଣା ନେଇ ମୁହଁ ଖୋଲନ୍ତୁ । ବାଲେଶ୍ଵର ଘଟଣାକୁ ମୂଳରୁ ହାଲକା ଭାବେ ଗ୍ରହଣ କଲେ ରାଜ୍ୟ ସରକାର। ଗୁଇନ୍ଦା ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ  ରିପୋର୍ଟ ଦେଇଥିଲା । ଘଟଣା କାହିଁକି ହେଲା ତାହା ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ବିଜୟ । ଏପରିକି କ୍ରାଇମବ୍ରାଞ୍ଚ ଚଦନ୍ତ ନିରପେକ୍ଷ ହେବନି ବୋଲି କହିଛନ୍ତି ସେ ।

ସେ କହିଛନ୍ତି, ୧୨ ତାରିଖ ପୂର୍ବରୁ କ’ଣ ଘଟିଲା ତାହା ସମସ୍ତେ ଜାଣିବା ଦରକାର । କଲେଜ କ୍ୟାମ୍ପସରେ ଯାହା ଘଟିଲା, ତାହା ୩୦ରୁ ୪୦ ବର୍ଷ ଭିତରେ କେବେ ଘଟି ନଥିଲା । ଅତୀତ ଘଟଣା ଓ ବର୍ତ୍ତମାନର ଘଟଣାରେ ଆକାଶ ପାତାଳ ଫରକ ରହିଛି ।  ବାଲେଶ୍ଵର ଘଟଣା ସମସ୍ତଙ୍କ ଆଖି ଖୋଲି ଦେଇଛି । କୋର୍ଟଙ୍କ ଦ୍ଵାରା ତଦନ୍ତ କରାଗଲେ, ସବୁ ଘଟଣା ସାମ୍ନାକୁ ଆସିବ । ଓଡିଆ ଅସ୍ମିତା କଥା କହୁଥିବା ସରକାର ନିଜ ଆଡୁ କହିବା ଦରକାର ଯେ ବାଲେଶ୍ଵର ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ କୋର୍ଟଙ୍କ ଦ୍ୱାରା ପୂରା ଘଟଣାର ତଦନ୍ତ କରାଯାଉ । ଦ୍ଵନ୍ଦ୍ବ ଦୂର ପାଇଁ କୋର୍ଟ ମନିଟରିଂରେ ତଦନ୍ତ ହେଉ ।

ଜିଲ୍ଲା ପ୍ରଶାସନଠୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଛାତ୍ରୀ ଜଣେଇ ଥିଲେ । କିନ୍ତୁ ଏତେ ବଡ଼ କାଣ୍ଡ ଘଟିଯିବ ବୋଲି କେହି ଆକଳନ କରି ପାରିଲେନି । ବାଲେଶ୍ୱର ଘଟଣା ସୁଶାସନ, କୁଶାସନ ନା ଦୁଃଶାସନ କ୍ଷେତ୍ରରେ ଯିବ ବୋଲି ବିଜୟ ପ୍ରଶ୍ନ କରିଛନ୍ତି । ସରକାରଙ୍କ ଆକ୍ସନ କ’ଣ ଯଥେଷ୍ଟ କି ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ଅତୀତର ଘଟଣା ଓ ବାଲେଶ୍ୱର ଘଟଣା ଭିତରେ ଥିବା ଫରକକୁ ସରକାର ଯେଉଁ ପର୍ଯ୍ୟନ୍ତ ବୁଝିବେ ନାହିଁ ତଦନ୍ତ ଠିକ ଭାବେ ଚାଲିବ ନାହିଁ ବୋଲି ସେ ଆଶଂକା କରିଛନ୍ତି ।