ବିଜେଡିରେ ମିଶିଲେ ବରିଷ୍ଠ ନେତା ଗଣେଶ୍ବର ବେହେରା

1 min read

ଭୁବନେଶ୍ବର: କଂଗ୍ରେସକୁ ଶକ୍ତ ଧକ୍କା । ହଜାର ହଜାର ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ମିଶିଲେ କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ଗଣେଶ୍ବର ବେହେରା ।

ବିଜେଡିରେ ମିଶିବା ପୂର୍ବରୁ ଗଣେଶ୍ବର ରାଜଧାନୀରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ହଜାର ହଜାର କର୍ମୀଙ୍କ ସହ ବିରାଟ ପାଟୁଆରରେ ପହଞ୍ଚି ଥିଲେ ଶଙ୍ଖ ଭବନରେ । କିଛି ସମୟ ପାପାଁ ରାଜଧାନୀ ରାଜରାସ୍ତା ଜନ ସମୁଦ୍ରରେ ପରିଣତ ହୋଇଯାଇଥିଲା । ଗଣେଶ୍ବରଙ୍କ ସହ ଏକାଧିକ ନେତା ଓ କର୍ମୀ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ।

ସାଂସଦ ସସ୍ମିତ ପାତ୍ର, ବିଧାୟକ ପ୍ରତାପ ଜେନା ଏବଂ ବରିଷ୍ଠ ବିଜେଡି ନେତା ଶଶୀଭୂଷଣ ବେହେରା ଗଣେଶ୍ବର ଏବଂ ତାଙ୍କ ସମର୍ଥକଙ୍କୁ ବିଜେଡିକୁ ସ୍ବାଗତ କରିଥିଲେ ।

ଗତ ଏପ୍ରିଲ ଦୁଇ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଗଣେଶ୍ବର । ଆଜି ସମର୍ଥକଙ୍କ ସହ ବିରାଟ ପାଟୁଆରରେ ଶଙ୍ଖ ଭବନ ଆସି ବିଜେଡିରେ ଯୋଗ ଦେଇଛନ୍ତି ।  ସେ ଦୁଇ ଥର କଂଗ୍ରେସରୁ ବିଧାୟକ ହୋଇଥିଲେ । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ, ସଂଗଠନ ସମ୍ପାଦକଙ୍କ ପକ୍ଷରୁ ସ୍ୱାଗତ କରିଥିଲେ ସାଂସଦ ସସ୍ମିତ ପାତ୍ର । ସସ୍ମିତ କହିଛନ୍ତି, ଗଣେଶ୍ୱର ଓଡ଼ିଶାର ବିଶିଷ୍ଟ ନେତା । ସେ ପିସିସି ଉପସଭାପତି ଥିଲେ । ସେ ବୌଦ୍ଧିକ ସ୍ତରରେ ସମୃଦ୍ଧ ।

ଗଣେଶ୍ବରଙ୍କ ସହ ୪୯ ଜଣ ପଞ୍ଚାୟତ ସଭାପତି ବି କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା କହିଲେ, ଗଣେଶ୍ୱେର ଜଣେ କ୍ରାନ୍ତିକାରୀ, ଲଢୁଆ ଓ ପୁରୁଖା ନେତା । ଆଜି ବିଜେଡି ତାଙ୍କୁ ପାଇ ବହୁତ ଖୁସି । ବିଶ୍ୱାସ ଅଛି, ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମକୁ ସମସ୍ତେ ମିଳିମିଶି ଆହୁରି ତ୍ୱରାନ୍ୱିତ କରିବା । କେନ୍ଦ୍ରାପଡ଼ା ବିଧାୟକ ଶଶୀ ବେହେରା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ଗଣେଶ୍ବରଙ୍କ ଯୋଗୁଁ ତୃଣମୂଳ ସ୍ତରର ସଂଗଠନ ଆହୁରି ସଂଗଠିତ ହେବ ।

ବିଜେଡିରେ ଯୋଗଦେବା ପରେ ଗଣେଶ୍ୱର କହିଛନ୍ତି, ‘ବିଜେଡି ସଭାପତି ନବୀନ ପଟ୍ଟନାୟକ ବିକାଶ ପୁରୁଷ । ସେ ବିଶ୍ୱାସ କରନ୍ତି ଓଡ଼ିଶାର ବିକାଶ, ସମ ବିକାଶ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ବିକାଶ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରାପଡ଼ା ଓ ଓଡ଼ିଶା ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଜେଡିରେ ମିଶିଛି । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ଯବାଦ ଜଣାଇଛନ୍ତି ।