ବଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଯୁବତୀ

1 min read

କଟକ: ବଲିଉଡର ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କ ନାଁରେ ସାଂଘାତିକ ଅଭିଯୋଗ । କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି । ମୁମ୍ବାଇର ଏହି କଣ୍ଠଶିଳ୍ପୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି କଟକର ଜଣେ ଯୁବତୀ ।

ମିଛ ପ୍ରତିଶ୍ରୁତି ଦେଇ ପ୍ରତାରଣା, ମାନସିକ ଓ ଶାରୀରିକ ଶୋଷଣର ଅଭିଯୋଗ ହୋଇଛି। ବିବାହ କରିବାକୁ କହି ଟଙ୍କା ହଡ଼ପ କରିଛନ୍ତି କଣ୍ଠଶିଳ୍ପୀ । ଏ ନେଇ ଏତଲା ପରେ ଘଟଣାକୁ ପୋଲିସ୍ ଗୁରୁତର ସହ ନେଇଛି । ଯୌନ ନିର୍ଯାତନା, ମାନସିକ ନିର୍ଯାତନା ଦେବା ସହ ଟଙ୍କା ହଡ଼ପ ନେଇ ଅଭିଯୋଗ ହୋଇଛି । ଏତଲା ଆଧାରରେ 376 2n, 493, 341, 417, 323, 506 ଧାରାରେ ମାମଲା ରୁଜୁ ହୋଇଛି ।

ଯୁବତୀ ଜଣଙ୍କ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି । କଣ୍ଠଶିଳ୍ପୀଙ୍କ ସହିତ ତାଙ୍କର ପ୍ରଥମେ କଟକରେ ଦେଖା ହୋଇଥିଲା । ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯୁବତୀ ଜଣଙ୍କ ପରେ ମୁମ୍ବାଇରେ ଥିବା ତାଙ୍କ ବ୍ୟାଙ୍କ ଶାଖାକୁ ବଦଳି ହୋଇଯାଇଥିଲେ ।

ଦୀର୍ଘଦିନର ସମ୍ପର୍କ ମଧ୍ୟରେ ମିଛ ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ନେଇଥିବା ଯୁବତୀ ଅଭିଯୋଗ କରିଛନ୍ତି । ବିବାହ କରିବାକୁ ଯୁବତୀଙ୍କୁ କଣ୍ଠଶିଳ୍ପୀ ପ୍ରତିଶ୍ରୁତି ଦେଇ ସମୟ ଗଡ଼ାଇ ଚାଲିଥିଲେ । କଣ୍ଠଶିଳ୍ପୀ ବିବାହିତ ବୋଲି ଯୁବତୀ ଜାଣିନଥିଲେ । ଜାଣିବା ପରେ ସେ କଣ୍ଠଶିଳ୍ପୀଙ୍କ ସହ ସମ୍ପର୍କ ତୁଟାଇବାକୁ କହିବା ସହ ଟଙ୍କା ଫେରାଇବାକୁ କହିଥିଲେ । ତେବେ କଣ୍ଠଶିଳ୍ପୀ ଟଙ୍କା ନ ଫେରାଇ ତାଙ୍କୁ ଧମକ ଦେଉଥିବା ଯୁବତୀ ଅଭିଯୋଗ କରିଛନ୍ତି । ନ୍ୟାୟ ଦାବିରେ ଥାନାରେ ଏତଲା ଦେଇଛନ୍ତି ।

ଏହି ମାମଲାକୁ ଗୁରୁତର ସହ ନେଇ ଯୁବତୀଙ୍କ ଡାକ୍ତରୀ ପରୀକ୍ଷା କରିବା ସହ ତଦନ୍ତ ଆରମ୍ଭ କରିଛି କଟକ ମହିଳା ଥାନା ପୋଲିସ୍ ।