ଜୁଲାଇରେ ପିଲାଙ୍କ ପାଇଁ ପରୀକ୍ଷା ହେବ ନୋଭାଭାକ୍ସ, ସେରମ ପ୍ରସ୍ତୁତ କରୁଛି ଟିକା

1 min read

ନୂଆଦିଲ୍ଲୀ: ଆସନ୍ତା ଜୁଲାଇରେ ପିଲାଙ୍କ କ୍ଷେତ୍ରରେ କ୍ଲିନିକାଲ ଟ୍ରାଏଲ ହୋଇପାରେ ନୋଭାଭାକ୍ସ । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ଏହି ଟିକା ପିଲାଙ୍କ ଲାଗି ଉତ୍ତମ ପ୍ରତିରୋଧକ ସଞ୍ଜୀବନୀ ହେବା ଆଶା କରାଯାଉଛି । ପିଲାଙ୍କ କ୍ଷେତ୍ରରେ କ୍ଲିନିକାଲ ଟ୍ରାଏଲ ଲାଗି ନୋଭାଭାକ୍ସ ହେବ ଚତୁର୍ଥ ଟିକା । ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକର ଟିକା କୋଭାକ୍ସିନକୁ ଇତିମଧ୍ୟରେ ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ ପରୀକ୍ଷଣ କରାଯାଇସାରିଛି ।

୨ରୁ ୬ ବର୍ଷ ଓ ପରେ ୬ରୁ ୧୨ ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ ବି କୋଭାକ୍ସିନର କ୍ଲିନିକାଲ ପରୀକ୍ଷଣ କରାଯିବ । ସେପଟେ ବାୟୋଲୋଜିକାଲ-ଇ’ର ଭ୍ୟାକସିନକୁ ନେଇ ବଢିଛି ଆଶା । ମହାମାରୀ ଭୂତାଣୁ ବିରୋଧରେ ଏହା ଦେଇପାରେ ବଡ ଚେକ୍ । କମ୍ପାନୀ ପକ୍ଷରୁ ପ୍ରସ୍ତୁତ କୋର୍ବେଭାକ୍ସ ଅତି ପ୍ରଭାବଶାଳୀ ବୋଲି କୁହାଯାଇଛି । କୋଭିଡ ଭୂତାଣୁ ବିରୋଧରେ ଏହି ଟିକା ୯୦ ପ୍ରତିଶତ ପ୍ରତିରୋଧସମ୍ପନ୍ନ ହେବ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ବାର ଗଠିତ କୋଭିଡ ୱାର୍କିଂ ଗ୍ରୁପର ଅଧ୍ୟକ୍ଷ ଏନ.କେ. ଆରୋରା ।

ଏହି ଟିକାର ତୃତୀୟ ଫେଜ ପରୀକ୍ଷଣ ଜାରି ରହିଛି ଏବଂ ସକରାତ୍ମକ ଫଳ ଆଶା କରାଯାଉଛି । ଆସନ୍ତା ଅକ୍ଟୋବର ସୁଦ୍ଧା ଏହା ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ସମ୍ପ୍ରତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନୋଭାଭାକ୍ସ ତିଆରି କରୁଥିବାବେଳେ ଅକ୍ସଫୋର୍ଡ- ଆଷ୍ଟ୍ରାଜେନକାର କୋଭିସିଲ୍ଡ ବି ତିଆରି କରୁଛି । ଗତ କିଛି ସପ୍ତାହ ଧରି ନୋଭାଭାକ୍ସ ଉପରେ ଗୁରୁତ୍ବ ଦିଆଯାଉଛି ଏବଂ ଏହି ଟିକା ବାର୍ଷିକ ୧୦୦ କୋଟି ଡୋଜ ତିଆରି ହେବା ନେଇ ଲକ୍ଷ୍ୟ ରଖାଯାଇଛି ।

Leave a Reply