spot_img

Latest Posts

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ମୋକା, ସତର୍କ ରହିବା ଲାଗି କୃଷି ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ’ମୋକା’ । ପବନର ବେଗ ଘଣ୍ଟାପ୍ରତି ୧୫୦ ରୁ ୧୬୦ କିମି ତଥା ସର୍ବାଧିକ ୧୭୫ କିମି ସହ ଦକ୍ଷିଣପୂର୍ବ ବଙ୍ଗଳାଦେଶ ଏବଂ ଉତ୍ତର ମିଆଁମାରକୁ ୧୪ ତାରିଖ ମଧ୍ୟାହ୍ନ ସମୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ତତସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅତିଭୀଷଣ ବାତ୍ୟାରେ ପରିଣତ ହେଲା ମୋକା । ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ବେଗ ୯ କିମି ହାରରେ ଉତ୍ତର ଆଡ଼କୁ ଗତି କରୁଛି । ପୋର୍ଟବ୍ଲେୟାରଠାରୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ୫୨୦ କିମି, ବଙ୍ଗଳାଦେଶର କକ୍ସ ବଜାରଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ୧୦୧୦ କିମି, ଏବଂ ମିଆଁମାରର ସ୍ୱଇଟେଠାରୁ ସମାନ ଦିଗରେ ୯୩୦ କିମି ଦୂରରେ ସକ୍ରିୟ ରହିଛି l ଏହା ଧୀରେ ଧୀରେ ଦିଗ ପରିବର୍ତ୍ତନ କରି ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ।

ଏହା ଏକ ଅତି ଭୀଷଣ ବାତ୍ୟା ଭାବେ ୧୪ ତାରିଖ ମଧ୍ୟାହ୍ନ ସମୟରେ ଦକ୍ଷିଣପୂର୍ବ ବଙ୍ଗଳଦେଶ ଏବଂ ଉତ୍ତର ମିଆଁମାର ଉପକୂଳକୁ କକ୍ସ ବଜାର (ବଙ୍ଗଳଦେଶ) ଏବଂ କ୍ୟାୟପିୟୁ (ମିଆଁମାର) ମଧ୍ୟରେ ମିଆଁମାରର ସ୍ୱଇଟେ ନିକଟରେ ସ୍ଥାୟୀ ପବନ ଘଣ୍ଟାପ୍ରତି ୧୫୦ ରୁ ୧୬୦ ସର୍ବାଧିକ ୧୭୫ କିମି ସହ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ତେଣେ ପଶ୍ଚିମବଙ୍ଗ ଦିଘାରେ ମୁତୟନ ହୋଇଛନ୍ତି ଏନଡିଆରଏଫର ୮ ଟିମ୍ । ଟିମରେ ରହିଛନ୍ତି ୨୦୦ରୁ ଅଧିକ ସଦସ୍ୟ । ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତ ରହିଛନ୍ତି ଟିମ୍ । ମୋକା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଆକାଶ ମେଘୁଆ ରହିବ । ଆଜି ଓ ଆସନ୍ତା କାଲି ସାମାନ୍ୟ ତାତିରୁ ସାମାନ୍ୟ ନିସ୍ତାର ମିଳିବ । ୧୫ରୁ ଅସହ୍ୟ ଗରମ ହେବ ବୋଲି କହିଛି ପାଣିପାଗ ବିଭାଗ ।

 

Latest Posts

Don't Miss