ନନ୍ଦିଘୋଷ ବ୍ୟୁରୋ : ବିନା ବର୍ଷାରେ କଟକରେ ରାସ୍ତା ଉପରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି । ଦୁର୍ଦ୍ଦଶାରେ ୱାର୍ଡ ନଂ ୧୦ ଓ ୧୨ ବାସିନ୍ଦା । ଯିବା ଆସିବା କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ଗତ ଦୁଇ ମାସ ଧରି ଏହି ଅଞ୍ଚଳରେ ଡ୍ରେନ କାର୍ଯ୍ୟ ଜାରି ରହିଥିବା ବେଳେ ଏହାର ପରିଚାଳନାରେ ଗୁରୁତର ତ୍ରୁଟି ଦେଖାଦେଇଛି । ବିଭାଗୀୟ ଅବହେଳା ଯୋଗୁଁ ନର୍ଦ୍ଦମା ପାଣି ନିଷ୍କାସିତ ହୋଇ ନପାରି ରାସ୍ତାକୁ ମାଡ଼ି ଆସୁଛି । ଏହି ଦୁର୍ଗନ୍ଧମୟ ପରିବେଶ ମଧ୍ୟରେ ଛୋଟ ପିଲାମାନେ ସ୍କୁଲ ଯିବା ଆସିବା କରିବା ଏକପ୍ରକାର ବିପଜ୍ଜନକ ହୋଇପଡ଼ିଛି । ଜଣେ ସ୍କୁଲ ଛାତ୍ରୀ ନର୍ଦ୍ଦମାରେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ଏହି ସମସ୍ୟା ସମ୍ପର୍କରେ ସେମାନେ ବାରମ୍ବାର ସ୍ଥାନୀୟ ଜନପ୍ରତିନିଧି ଏବଂ ସିଏମସି କର୍ତ୍ତୃପକ୍ଷଙ୍କୁ ଗୁହାରି ଜଣାଇଛନ୍ତି । ମାତ୍ର ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ। କେବଳ ପ୍ରତିଶ୍ରୁତିରେ କାମ ଚାଲିଥିବା ବେଳେ ବାସ୍ତବରେ ସ୍ଥିତି ସଂଗୀନ ହେବାରେ ଲାଗିଛି। ଯଦି ଆଗାମୀ କିଛି ଦିନ ମଧ୍ୟରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ନହୁଏ, ତେବେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ‘ରାସ୍ତା ରୋକ୍’ କରିବେ ବୋଲି ଚେତାବନୀ ଦେଇଛନ୍ତି ।

