ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଭୋଟ ଚୋରି ପ୍ରସଙ୍ଗ : ରାହୁଲଙ୍କ ଯୁକ୍ତିକୁ ସାଂସଦ ଶଶୀ ଥରୁରଙ୍କ ସମର୍ଥନ

ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଭୋଟ ଚୋରି ପ୍ରସଙ୍ଗ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଯୁକ୍ତିକୁ ସମର୍ଥନ କଲେ କଂଗ୍ରେସ ସାଂସଦ ଶଶୀ ଥରୁର। ୨୦୨୪ ଲୋକସଭା ନିର୍ବାଚନରେ ଏହି ଦୁଇ ରାଜ୍ୟରେ ବହୁ ସଂଖ୍ୟକ ଭୋଟ ଗଡ଼ବଡ଼ି ହୋଇଥିଲା ବୋଲି ରାହୁଲ ଗତକାଲି ଅଭିଯୋଗ କରିବା ପରେ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା। ଭୋଟ ଚୋରି ସମ୍ପର୍କରେ ରାହୁଲ ବଳିଷ୍ଠ ପ୍ରମାଣ ଦର୍ଶାଇଛନ୍ତି। ସମସ୍ତ ଦଳ ଓ ସମସ୍ତ ଭୋଟରଙ୍କ ସ୍ବାର୍ଥକୁ ଏହା ପ୍ରତିଫଳିତ କରୁଛି। ଭାରତର ଗଣତନ୍ତ୍ର ଅତ୍ୟନ୍ତ ମୂଲ୍ୟବାନ ଏବଂ ଏହାକୁ ନଷ୍ଟ ହେବାକୁ ନ ଦିଆଯାଉ ବୋଲି ସେ କହିଛନ୍ତି। ଜାଲ୍ ଭୋଟର ପ୍ରସଙ୍ଗରେ ଗତକାଲି ନିର୍ବାଚନ କମିଶନଙ୍କୁ ପୁଣି ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ବିଜେପି ସହ ନିର୍ବାଚନ କମିଶନ ହାତ ମିଳାଇଥିବା ଅଭିଯୋଗ କରିଥିଲେ ରାହୁଲ। ସେ କହିଥିଲେ- ଲୋକସଭା ନିର୍ବାଚନରେ ଭୋଟର ତାଲିକାରେ ଜାଲ୍ ଭୋଟରଙ୍କୁ ସ୍ଥାନୀତ କରାଯାଇଥିଲା। କର୍ଣ୍ଣାଟକ ଭୋଟର ତାଲିକାରେ ବି ଜାଲ୍ ଭୋଟରଙ୍କୁ ସ୍ଥାନ ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ।