ଇମ୍ରାନଙ୍କ ଚାପରେ ଶେହବାଜ ଚେପା; ଜେଲରେ ଭାଇକୁ ଭେଟିବାକୁ ଭଉଣୀକୁ ଅନୁମତି
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଏକ ବଡ଼ ଖବର ଆସିଛି । ଜେଲ ଭିତରେ ତାଙ୍କୁ ଭେଟ କରିବାକୁ ପଞ୍ଜାବ ପ୍ରାନ୍ତ ସରକାର ଅନୁମତି ଦେଇଛନ୍ତି । ଇମ୍ରାନଙ୍କୁ ତାଙ୍କ ଉଭଣୀ ଭେଟି ପାରିବେ ବୋଲି ପଞ୍ଜାବ ପ୍ରାନ୍ତ ମୁଖ୍ୟମନ୍ତ୍ରୀ ମରିୟମ ନଓ୍ବାଜ ଘୋଷଣା କରିଛନ୍ତି । ମରିୟମ ହେଉଛନ୍ତି ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ଝିଆରୀ । ଇମ୍ରାନଙ୍କ ସାକ୍ଷାତକୁ ନେଇ ପ୍ରାୟ ଏକ ମାସ ହେବ ବୋବାଲ ଲାଗି ରହିଛି । ତାଙ୍କୁ ଜେଲ ଭିତରେ ହତ୍ୟା କରାଯାଇଥିବା ନେଇ ଆଫଗାନିସ୍ତାନ ମିଡ଼ିଆରେ ଖବର ପ୍ରସାରଣ ପରେ ପାକିସ୍ତାନରେ ଯେମିତି ଗୃହଯୁଦ୍ଧ ସ୍ଥିତି ଆରମ୍ଭ ହୋଇଯାଇଥିଲା ।
ହତ୍ୟା ଅଭିଯୋଗ ପରେ ସାରା ବିଶ୍ବର ନଜର ପାକିସ୍ତାନ ଉପରେ ଥିଲା । ଏପରିକି ପିଟିଆଇ ସମର୍ଥକଙ୍କ ସହ ତାଙ୍କ ତିନି ଭଉଣୀ ଭାଇଙ୍କୁ ଭେଟ କରିବାକୁ ଆଦିୟାଲା ଜେଲ ଆଗରେ ଧାରଣା ଦେଇ ମାଡ଼ ଖାଇଥିଲେ । ଏପରିକି ବିଦେଶରେ ରହୁଥିବା ଇମ୍ରାନଙ୍କ ପୁଅ ମଧ୍ୟ ବାପା ଜୀବିତ ଥିବାର ପ୍ରମାଣ ମାଗିବା ସହ ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଇମ୍ରାନଙ୍କୁ ନେଇ ପୂରା ପାକିସ୍ତାନରେ ଅସନ୍ତୋଷ ଲାଗି ରହିଥିବା ବେଳେ ଶେଷରେ ଶେହବାଜ ସରକାର ବ୍ୟାକ୍ ଫୁଟକୁ ଆସିଛନ୍ତି ଏବଂ କେବଳ ଅଜମିଙ୍କୁ ଭାଇ ସହ ଭେଟ ପାଇଁ ଅନୁମତି ମିଳିଛି । ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ଅଜମି ଭାଇକୁ ଭେଟିବାକୁ ଜେଲ ଭିତରକୁ ଯାଇଛନ୍ତି ।
ଜେଲ୍ ବହାରେ ସମର୍ଥକଙ୍କ ଭିଡ଼
ଅଜମି ଇମ୍ରାନଙ୍କୁ ଭେଟିବାକୁ ଜେଲ ଭିତରକୁ ଯାଇଥିବା ବେଳେ ବାହାରେ ତାଙ୍କ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି । ରାସ୍ତାରେ ଇମ୍ରାନଙ୍କ ସମର୍ଥକଙ୍କ ଗାଡିର କାଫିଲା ଦେଖଇବାକୁ ମିଳିଛି । ପିଟିଆଇ ସମର୍ଥକମାନେ ଆଦିୟାଲା ଜେଲ ମୁହଁ ହୋଇଛନ୍ତି । କିଛି ସ୍ଥାନରେ ଇମ୍ରାନଙ୍କ ସମର୍ଥକ ଓ ପୋଲିସ ମୁହାଁମୁହିଁ ହୋଇଥିବା ମଧ୍ୟ ସୂଚନା ଆସୁଛି । ଜେଲ ବାହାରେ ଇମ୍ରାନଙ୍କ ସମର୍ଥକ ପାକିସ୍ତାନରେ ପ୍ରଥା ବଦଳାଇବା ନାରା ଦେଉଛନ୍ତି । ଇମ୍ରାନଙ୍କୁ ଛାଡ଼ ଓ ଇମ୍ରାନ ମୁଣ୍ଡ ନୂଆଁଇବେ ନାହିଁ ନାରାରେ ସାରା ଦେଶ କମ୍ପୁଛି ।
ପିଟିଆଇ ସମର୍ଥକଙ୍କ ଆଣ୍ ପାର୍ ଲଢ଼େଇ
ଇମ୍ରାନ ଖାନଙ୍କ ସମର୍ଥକ ପୂରା ପାକିସ୍ତାନରେ ଆରପାର୍ ଲଢ଼େଇ ଆରମ୍ଭ କରିଦେଇଚନ୍ତି । ପିଟିଆଇ ପକ୍ଷରୁ କୁହାଯାଇଛି, ସରକାର ଏବେ ମୌଳିକ ଅଧିକାରକୁ ହତ୍ୟା କରୁଛି । ପ୍ରଥମେ ସରକାର ପ୍ରତି ସପ୍ତାହରେ ଇମ୍ରାନଙ୍କ ସହ ଭେଟ କରିବାକୁ ଅନୁମତି ଦେଉଥିଲା । ହେଲେ ଏବେ କୋର୍ଟଙ୍କ ନିର୍ଦ୍ଦେଶ ଥାଇ ବି କାହାରିଙ୍କୁ ଭେଟିବାକୁ ଦିଆଯାଉନି ।

