ରାଜନୀତିରୁ ସନ୍ୟାସ ନେବେ ଶେଖ ହସିନା ! ନିର୍ବାଚନରେ ବଡ଼ ଖେଳ କରିବାକୁ ହେଉଛନ୍ତି ପ୍ରସ୍ତୁତ
ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ରାଜନୀତିରୁ ସନ୍ୟାସ ନେବାକୁ ପ୍ରସ୍ତୁତି ଚଲାଇଛନ୍ତି । ସପଟେ ତାଙ୍କ ଦଳ ଆବାମୀ ଲିଗ ଆଗାମୀ ନିର୍ବାଚନରେ ପରଦା ପଛରେ ରହି ଜାତୀୟ ଦଳକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ, ଜାତୀୟ ପାର୍ଟି ପୂର୍ବରୁ ଆବାମୀ ଲିଗ୍ ସହ ମେଣ୍ଟ କରି ନିର୍ବାଚନ ଲଢ଼ି ସାରିଛି ।
ମିଡିଆ ରିପୋର୍ଟ ଅନୁସାରେ ଜାତୀୟ ପାର୍ଟି ଜରିଆରେ ଆବାମୀ ଲିଗ୍ ବାଂଲାଦେଶରେ ନିଜର ଶକ୍ତି ଦେଖାଇବାକୁ ଯୋଜନା କରିଛି । ନିର୍ବାଚନରେ ଜାତୀୟ ପାର୍ଟି, ଆବାମୀ ଲିର ଏକାଧିକ ନେତାଙ୍କୁ ଟିକେଟ ଦେବା ରିପୋର୍ଟର ସତ୍ୟତା ଆଡକୁ ଇଙ୍ଗୀତ କରୁଛି । ଯେଉଁମାନଙ୍କ ମଧ୍ୟରେ ଇଲିୟାସ ହୂସେନ (ତଙ୍ଗୋଲ-୧) ଏବଂ ତାରିକ ଶମ୍ସ (ତଙ୍ଗୋଲ-୬) ପ୍ରମୁଖ ଅଛନ୍ତି ।
ସୂଚନାଯୋଗ୍ୟ, ଫେବୃଆରୀ ୧୨ରେ ବାଂଲାଦେଶରେ ୩୦୦ ସିଟ ପାଇଁ ନିର୍ବାଚନ ହେବାକୁ ଯାଉଛି । ଆଉ ସରକାର ଗଢ଼ିବା ପାଇଁ ୧୫୧ ଆସନର ଆବଶ୍ୟକତା ରହିଛି ।
ହସିନା ସନ୍ୟାସ ନେବାର ସଙ୍କେତ
ଶେଖ ହସିନାଙ୍କ ପୁଅ ସାଜିଦ ଓ୍ବାଜିଦ କହିଛନ୍ତି, ମାଆ ନିର୍ବାଚନ ନଲଢ଼ିବାକୁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ । ବାଂଲାଦେଶରେ ଶେଖ ହସିନାଙ୍କ ଯୁବର ଅନ୍ତ ହୋଇସାରିଛି । ସ୍ବାସ୍ଥ୍ୟଗତ କାରଣରୁ ମାଆ ଏହି ନିଷ୍ପତ୍ତି ନେଇଥିଲେ ।
ଆଗକୁ ସେ କହିଛନ୍ତି, ଶେଖ ହସିନାଙ୍କ ପରେ କିଏ ତାହାର ନିଷ୍ପତ୍ତି ହୋଇନି । ସେ ହଟିଯିବା ପରେ ପରେ ଆବାମୀ ଲିଗର ନେତୃତ୍ବ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଆବାମୀ ଲିଗ୍ ବାଂଲାଦେଶର ସବୁଠାରୁ ପୁରୁଣା ଦଳ । ମାଆ ସାଙ୍ଗରେ ରୁହନ୍ତୁ ବା ନରୁହନ୍ତୁ, ଦଳ ଆଗକୁ ଚାଲିବ । କେହି ବି ସବୁବେଳେ ରହିନଥାନ୍ତି ।
ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ପୂର୍ବରୁ ଶେଖ ହସିନା ସନ୍ୟାସ ନେଇ ଘୋଷଣା କରିପାରନ୍ତି । ଏହାଦ୍ବାରା ସେ ଭୋଟରଙ୍କ ସହ ଇମୋସନାଲ ଆଟାଚ ହେବାକୁ ଯୋଜନା କରିଛନ୍ତି । ଯାହାର ଫାଇଦା ନିର୍ବାଚନରେ ଜାତୀୟ ପାର୍ଟିକୁ ମିଳିବ ।
ପରଦା ପଛରୁ ଜାତୀୟ ପାର୍ଟିକୁ ସମର୍ଥନ କାହିଁକି ?
ଆବାମୀ ଲିଗ୍ ଜାତୀୟ ପାର୍ଟିକୁ ସମର୍ଥନ କରିବାର ଏକାଧିକ କାରଣ ରହିଛି । ବଡ଼ କାରଣ ହେଲା ବାଂଲାଦେଶରେ ଆବାମୀ ଲିଗ୍ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲାଗିଛି । ଆଲୋ ପକ୍ଷରୁ ନଭେମ୍ବରରେ ହୋଇଥିବା ପ୍ରଥମ ସର୍ଭେରେ ୨୬ ପ୍ରତିଶତ ଲୋକ ଆବାମୀ ଲିଗକୁ ନିର୍ବାଚନରେ ସାମିଲ ହେବାକୁ ଅନୁମତି ଦେବାକୁ ମତ ଦେଇଥିଲେ । ଏହାର ଅର୍ଥ ବାଂଲାଦେଶରେ ଆବାମୀ ଲିଗକୁ ଏବେ ବି ଭରପୂର ସମର୍ଥନ ରହିଛି ।
ତୃତୀୟ ବିକଳ୍ପ
ଦ୍ବିତୀୟ ବଡ଼ କାରଣ ହେଲା ଚଳିତ ନିର୍ବାଚନରେ ବିଏନପି ଓ ଜମାତ ମେଣ୍ଟ ମଧ୍ୟରେ ହେବାକୁ ଯାଉଛି । ଉଭୟ ମେଣ୍ଟ ଶେଖ ହସିନାଙ୍କ ପ୍ରବଳ ବିରୋଧୀ । ହସିନାଙ୍କ ଦଳ ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏକୁ ସମର୍ଥନ ଦେଇ ରାଜନୈତିକ ସ୍ତରରେ ମାନ୍ୟତା ଦେବାକୁ ଚାହୁଁନାହିଁ । ଏହି କାରଣରୁ ଜାତୀୟ ପାର୍ଟିକୁ ତୃତୀୟ ବିକଳ୍ପ ଭାବେ ଆବାମୀ ଲିଗ୍ ଚୟନ କରିଛି ।
ଆବାମୀ ଲିଗ୍ ପାଇଁ ସହଜ ହେବ ବାଟ
ଶେଖ ହସିନାଙ୍କ ସମର୍ଥନରେ ଯଦି ଜାତୀୟ ପାର୍ଟି କିଙ୍ଗ ମେକର ଭୂମିକାକୁ ଆସିବ ତେବେ ବାଂଲାଦେଶରେ ପୂରା ଖେଳ ବଦଳି ଯିବ । ଆଗାମୀ ଦିନରେ ଆବାମୀ ଲିଗ୍ ପାଇଁ ଢାକାକୁ ଯିବା ରାସ୍ତା ସହଜ ହୋଇଯିବ । ଆଉ ଜାତୀୟ ପାର୍ଟିକୁ ସମର୍ଥନ ଦେବାର ଅନ୍ୟ ଏକ ଉଦ୍ଦେଶ୍ୟ ହେଲା ଜମାତକୁ ତୃତୀୟ ସ୍ଥାନକୁ ଖସାଇବା ।

