ପ୍ରଥମେ ପଚରା ଉଚରା, ପରେ ଅଟକ ଆଉ ଏବେ ଗିରଫ ହେଲେ ସଞ୍ଜୟ ରାଉତ

ମୁମ୍ବାଇ: ବିବାଦୀୟ ଶିବସେନାର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କ ରବିବାର ବିଳମ୍ବିତ ରାତିରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ପତ୍ରା ଚୌଲ କେସରେ ଇଡି ପିଏମଏଲଏ ଆଇନ ଆଧାରରେ ରବିବାର ୧୨ଟାରେ ଗିରଫ କରିଥିବା କଥା ସୂଚନା ମିଳିଛି । ରାତି ସାଢ଼େ ୧୨ଟାରେ ସଞ୍ଜୟଙ୍କ ଭାଇ ସୁନୀଲ ରାଉତ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଗତକାଲି ଅର୍ଥାତ ରବିବାର ସକାଳେ ଇଡି ସଞ୍ଜୟଙ୍କ ଘରେ ରେଡ୍ ମାରିଥିଲା । ପାଖାପାଖି ୯ ଛାନଭିନ ଓ ରାଉତଙ୍କୁ ପଚରାଉଚୁରା ପରେ ସନ୍ଧ୍ୟାରେ ହେପାଜତକୁ ନେଇଥିଲା ଇଡି ।

ସଞ୍ଜୟ ରାଉତଙ୍କ ଗିରଫ ନେଇ ତାଙ୍କ ଭାଇ ସୁନୀଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଇଡି ସଞ୍ଜୟ ରାଉତଙ୍କୁ ଭୟ କରୁଛି, ଏଥିପାଇଁ ଗିରଫ କରିଛି । ମିଛ ଦସ୍ତାବିଜ ସାହାରାରେ ସଞ୍ଜୟ ରାଉତଙ୍କୁ ପତ୍ରା ଚୌଲ ମାମଲାରେ ଯୋଡିବା ପାଇଁ ପ୍ରୟାସ କରାଯାଉଛି । ଏହି ଗିରଫଦାରୀ କେବଳ ତାଙ୍କ ସ୍ୱରକୁ ଚାପିବା ପାଇଁ କରାଯାଇଛି । ଆଉ ଯେଉଁ ପଇସା ଘରୁ ମିଳିଛି ତାହା ଶିବସୈନିକଙ୍କ ଅଯୋଧ୍ୟା ଗସ୍ତ ପାଇଁ ରହିଥିବା କଥା ଭାଇ ସୁନୀଲ କହିଛନ୍ତି । ଏପଟେ ସଞ୍ଜୟଙ୍କ ଗିରଫକୁ ବିରୋଧ କରିଛନ୍ତି ଶିବସେନା ସମର୍ଥକ ।

ଇଡି କାର୍ଯ୍ୟାଳୟ ବାହାରେ ନାରାବାଜୀ କରିଛନ୍ତି । କେନ୍ଦ୍ରର ମନମାନୀକୁ ବିରୋଧ କରାଯାଇଛି । ଏବେ ସଞ୍ଜୟଙ୍କୁ ସୋମବାର ଅର୍ଥାତ ଆଜି ଅପରାହ୍ନରେ ପିଏମଏଲଏ କୋର୍ଟରେ ହାଜର କରାଯିବ । ସୂଚନା ମୁତାବିକ ସଞ୍ଜୟ ରାଉତଙ୍କ ଘରୁ ଗତକାଲି ଚଢାଉ ସମୟରେ ୧୧.୫୦ ଲକ୍ଷ ଟଙ୍କା ଜବତ କରାଇଯାଇଥିଲା । ସଞ୍ଜୟ ରାଉତ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଗଣମାଧ୍ୟମକୁ କହିଥିଲେ, ମହାରାଷ୍ଟ୍ରକୁ କମଜୋର କରିବା ପାଇଁ ଉଦ୍ୟମ କରାଯାଉଛି । ମୋ ଉପରେ ଯେତେ ବି ଚାପ ପକାଇଲେ ମୁଁ ନଇଁବି ନାହିଁ । ସଚ୍ଚା ଶିବସୈନିକ ଥିଲି ଆଉ ରହିବି । ଇଡି ମିଛ ପ୍ରମାଣ ତିଆରି କରି ଗିରଫ କରିବାକୁ ଚାହୁଁଛି ।

ସୂଚନାଥାଉକି ଶିବସେନାର ସବୁଠୁ ପାୱାରଫୁଲ ନେତା ଭାବେ ସଞ୍ଜୟ ରାଉତ ଜଣାଯାଇଥାନ୍ତି । ଉଦ୍ଧବ ସରକାରରେ ମଧ୍ୟ ତାଙ୍କର ଗୁରୁତ୍ୱ ଅଧିକ ଥିଲା । ଏକନାଥ ସିନ୍ଦେ ବିଜେପି ସହ ମିଶି ଶିବସେନା ସହ ବିଦ୍ରୋହ କରି ମହାରାଷ୍ଟ୍ରରେ ଉଦ୍ଧବ ସକରକାର ଭାଙ୍ଗି ଦେଇଥିଲେ । ଏବଂ ନିଜେ ବିଜେପି ମେଣ୍ଟରେ ସରକାର ଗଢିଥିଲେ । ସେବେଠାରୁ ଶିବସେନାରେ ଆଧିପତ୍ୟକୁ ନେଇ ଟଣା ଓଟରା ଚାଲିଥିଲା । ସଞ୍ଜୟ ଲଗାତାର ବିଜେପି ଏବଂ ବିଦ୍ରୋହୀ ସିନ୍ଦେଙ୍କ ବିରୋଧରେ ଟିପ୍ପଣୀ ଦେଇ ଆସୁଥିଲେ । ସଞ୍ଜୟଙ୍କୁ ପୂର୍ବରୁ ମଧ୍ୟ ଇଡି ଜେରା କରିଛି ।