ଶିବସେନା ସାଂସଦ ସଞ୍ଜୟଙ୍କୁ ହେପାଜତକୁ ନେଲା ଇଡି

ମୁମ୍ବାଇ: ଶିବସେନା ଏମପି ସଞ୍ଜୟ ରାଉତ ଅଟକ । ସଞ୍ଜୟ ରାଉତଙ୍କୁ ହେପାଜତକୁ ନେଲା ଇଡି । ପତ୍ରା ଚୌଲ ସ୍କାମରେ ଆଜି ସକାଳୁ ସଞ୍ଜୟଙ୍କ ଘରେ ପହଞ୍ଚିଥିଲା ଇଡିର ୧୨ ଜଣିଆ ଟିମ୍ । ଚଢ଼ାଉ ସହ ସଞ୍ଜୟଙ୍କୁ ପଚରାଉଚରା ମଧ୍ୟ କରିଥିଲା ଟିମ୍ । ପଚରାଉଚରା ପରେ ସଞ୍ଜୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଟକ ରଖିଛି । ଏକ ହଜାର ୩୪ କୋଟି ପାତ୍ର ଚୌଲ୍ ଲ୍ୟାଣ୍ଡ ସ୍କାମରେ ସଞ୍ଜୟ ରାଉତଙ୍କ ନାଁ ଆସିବା ପରେ ତାଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ପୂର୍ବରୁ ଇଡି ଅଫିସରେ ସଞ୍ଜୟ ରାଉତଙ୍କୁ ଜେରା କରିଥିଲା । ସୂଚନାଥାଉକି, ରବିବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପତ୍ରା ଚୌଲ ଦୁର୍ନୀତି ମନି ଲଣ୍ଡରିଂ ମାମଲାରେ ସଞ୍ଜୟ ରାଉତଙ୍କ ଘରେ ପହଞ୍ଚିଥିଲା । ସକାଳ ୭ଟାରେ ଇଡି ରାଉତଙ୍କ ଭାଣ୍ଡୁପ ସ୍ଥିତ ଘରେ ପହଞ୍ଚିଥିଲା । ପାଖାପାଖି ୯ ଘଣ୍ଟାର ଛାନଭିନ ଓ ପଚରା ଉଚରା ପରେ ଏବେ ସଞ୍ଜୟଙ୍କୁ ହେପାଜତକୁ ନେଇଛି ଇଡି । ରେଡ୍ ସମୟରେ ସଞ୍ଜୟ ରାଉତ କହିଥିଲେ ମତେ ଜେତେ ଡରେଇଲେ ମଧ୍ୟ ମୁଁ ମୁଣ୍ଡ ନୁଆଁଇବି ନାହିଁ । ଶିବସେନାରେ ଥିଲି ଶିବସେନାରେ ରହିବି ।

ଶିବସେନାର ସବୁଠୁ ପାୱାରଫୁଲ ନେତା ଭାବେ ସଞ୍ଜୟ ରାଉତ ଜଣାଯାଇଥାନ୍ତି । ଉଦ୍ଧବ ସରକାରରେ ମଧ୍ୟ ତାଙ୍କର ଗୁରୁତ୍ୱ ଅଧିକ ଥିଲା । ଏକନାଥ ସିନ୍ଦେ ବିଜେପି ସହ ମିଶି ଶିବସେନା ସହ ବିଦ୍ରୋହ କରି ମହାରାଷ୍ଟ୍ରରେ ଉଦ୍ଧବ ସକରକାର ଭାଙ୍ଗି ଦେଇଥିଲେ । ଏବଂ ନିଜେ ବିଜେପି ମେଣ୍ଟରେ ସରକାର ଗଢିଥିଲେ । ସେବେଠାରୁ ଶିବସେନାରେ ଆଧିପତ୍ୟକୁ ନେଇ ଟଣା ଓଟରା ଚାଲିଥିଲା । ସଞ୍ଜୟ ଲଗାତାର ବିଜେପି ଏବଂ ବିଦ୍ରୋହୀ ସିନ୍ଦେଙ୍କ ବିରୋଧରେ ଟିପ୍ପଣୀ ଦେଇ ଆସୁଥିଲେ । ସଞ୍ଜୟଙ୍କୁ ପୂର୍ବରୁ ମଧ୍ୟ ଇଡି ଜେରା କରିଛି । ସଞ୍ଜୟ କହିଥିଲେ ଇଡି ସିବିଆଇ ଯାହାକୁ ମୋ ପଛରେ ଲଗାଇଲେ ବି ମୁଁ ଡରିବି ନାହିଁ ।