spot_img

Latest Posts

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଶାରଦୀୟ ପାର୍ବଣର ଶୋଳପୂଜା

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଶାରଦୀୟ ପାର୍ବଣର ଶୋଳପୂଜା

ନନ୍ଦିଘୋଷ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହେଲା ଶାରଦୀୟ ପାର୍ବଣର ଶୋଳପୂଜା । ଗଜପତିଙ୍କ ଶ୍ରୀନହରରେ ରାଜଗୁରୁ ବ୍ରାହ୍ମଣମାନଙ୍କୁ ବରଣ କରି ଦୁର୍ଗାପୂଜାର ଶୁଭାରମ୍ଭ କରିଛନ୍ତି । ୧୬ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ପ୍ରଦାନ କରିଥିଲେ । ସେପଟେ ଶ୍ରୀମନ୍ଦିରରେ ଆଜି ମୂଳାଷ୍ଟମୀ ସହ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହେଉଥିବା ବେଳେ ଦୁର୍ଗାମାଧବ ଉପାସନା ପାଳିତ ହେଉଛି ।

ଆଜି ମୂଳାଷ୍ଟମୀରୁ ଶାରଦୀୟ ଦୁର୍ଗାପୂଜା ପାଇଁ ଶ୍ରୀକ୍ଷେତ୍ରରେ ପାରମ୍ପରିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଗଜପତିଙ୍କ ଶ୍ରୀନହରରୁ ଆରମ୍ଭ ହୋଇଛି ଷୋଳପୂଜାର ବିଧି । ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ଗୁଡ଼ିକରେ ଏହି ଷୋଳପୂଜା ପାଇଁ ଆଚାର୍ଯ୍ୟ ବରଣ କାର୍ଯ୍ୟ କରାଯାଇଛି । ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ରାଜଗୁରୁ ଆଜି ଶ୍ରୋତୀୟ ବ୍ରାହ୍ମଣ , ମୁକ୍ତିମଣ୍ଡପ ବ୍ରାହ୍ମଣ ଓ ଶାସନ ବ୍ରାହ୍ମଣଙ୍କୁ ଡାକି ବରଣ କରିବା ସହ ବସ୍ତ୍ର ଦାନ କରି ବିଭିନ୍ନ ପୀଠରେ ନିଯୁକ୍ତି କରିଛନ୍ତି । ଏହି ଆଚାର୍ଯ୍ୟମାନେ ଆଜିଠାରୁ ଷୋଳପୂଜାର ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ଗୁଡ଼ିକରେ ଚଣ୍ତିପାଠ, ଦୁର୍ଗା ଆରାଧନା ପ୍ରଭୃତି କରିବେ । ଆଶ୍ବିନ ମାସ କୃଷ୍ଣପକ୍ଷ ଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଏହି ପୂଜାର୍ଚ୍ଚନା କରାଯିବାର ପରମ୍ପରା ରହିଛି । ମାଆଙ୍କର ଏହି ପାର୍ବଣ ପୂଜାକୁ ନିଷ୍ଠାର ସହ ପାଳନ କରିବାକୁ ଗଜପତି ମହାରାଜା ନିବେଦନ କରିଛନ୍ତି ।

ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମାଆ ବିମଳାଙ୍କ ପୀଠରେ ଷୋଡ଼ଶ ପୂଜାବିଧି ଆରମ୍ଭ ହୋଇଛି । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୂବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣ କାଳୀ, ଅଲାମଚଣ୍ତୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଶୋଳପୂଜା ଆରମ୍ଭ କରାଯାଇଛି । ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ଭଣ୍ଡାର ଘରୁ ମାଆ ଦୁର୍ଗାଙ୍କ ସ୍ବର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ ହୋଇଥାଏ । ପରେ ମାଆ ସୁଭଦ୍ରାଙ୍କ ଆଜ୍ଞାମାଳ ଦୁର୍ଗାଙ୍କୁ ଲାଗି କରାଯିବା ପରେ ମାଜଣା ମଣ୍ଡପରେ ଠାକୁରାଣୀଙ୍କ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହୋଇଥାଏ । ମାଆ ବିମଳାଙ୍କ ପୀଠରେ ତ୍ରିକାଳ ପୂଜା ଆରମ୍ଭ ହେବା ସହ ସପ୍ତମୀ, ଅଷ୍ଟମୀ, ନବମୀ ତଥା ଦଶହରାରେ ସ୍ୱତନ୍ତ୍ର ପୂଜା କରାଯିବାର ବିଧି ରହିଛି ।

ଶାରଦୀୟ ପୂଜା ପାଇଁ ଶ୍ରୀକ୍ଷେତ୍ରରେ ଏବେ ଠାରୁ ପୂଜାବିଧି ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିରରେ ବିଶେଷ କରି ଏହି ସମୟରେ ଦୁର୍ଗାମାଧବ ଉପାସନା ସହ ଗୁପ୍ତ ଗୁଣ୍ତିଚାର ବିଧି ମଧ୍ୟ ଆରମ୍ଭ କରାଯିବ ।

Latest Posts

Don't Miss