ଚାଷୀ ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର; ସନ୍ଦିଗ୍ଧ ବଦଳାଇଲା ବୟାନ,କହିଲା ମିଛ କହିବାକୁ ପଡିଥିଲା ଚାପ

ନୂଆଦିଲ୍ଲୀ: ଦିଲ୍ଲୀର ସିଙ୍ଘୁ ବର୍ଡରରେ ଆନ୍ଦୋଳନରତ ଚାଷୀ ଯେଉଁ ବ୍ୟକ୍ତିଙ୍କୁ ସୁଟର କହି ମିଡିଆ ସାମ୍ନାରେ ପେସ କରିଥିଲେ ଏବେ ସଂପୃକ୍ତ ଯୁବକ ନିଜ ବୟାନରୁ ଓହରି ଯାଇଛି । ପୋଲିସ ଜେରା ବେଳେ ଯୁବକ ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଅପହରଣ କରିବା ପରେ ଏଭଳି କହିବା ପାଇଁ ଚାପ ପ୍ରୟୋଗ କରାଯାଇଥିଲା । ହରିଆନାର ସୋନିପତ ବାସିନ୍ଦା ଏହି ଯୁବକଙ୍କ ଅଭିଯୋଗ ହେଉଛି ଯେ, ଜାନୁଆରୀ ୧୯ ତାରିଖ ଦିନ ସେ ନିଜର ସଂପର୍କୀୟଙ୍କୁ ଭେଟିବା ପାଇଁ ଦିଲ୍ଲୀ ଆସୁଥିଲେ । ଏହି ସମୟରେ ସିଙ୍ଘୁ ବର୍ଡରରେ କିଛି ବ୍ୟକ୍ତି ତାଙ୍କ ଅପହରଣ କରିବା ସହିତ ମାଡ ମାରିଥିଲେ ।

ମାଡ ମାରିବା ସହିତ ତାଙ୍କୁ ମିଡିଆ ସାମ୍ନାରେ ସେ ଚାଷୀ ନେତାଙ୍କ ହତ୍ୟା ପାଇଁ ଦିଲ୍ଲୀ ଆସିଥିଲେ ବୋଲି କହିବାକୁ ବାଧ୍ୟ କରାଯାଇଥିଲା । ଏହା ପରେ ଯୋଗେଶ ମିଡିଆ ସାମ୍ନାରେ କହିଥିଲେ ଯେ, ଜାନୁଆରୀ ୨୬ ତାରିଖ ଦିନ ଚାଷୀ ନେତାଙ୍କ ଉପରକୁ ଗୁଳି ଚଳାଇବାକୁ ତାଙ୍କୁ ସୁପାରୀ ଦିଆଯାଇଥିବା କଥା କହିଥିଲେ । ତେବେ ଏବେ ଯୋଗେଶଙ୍କ କହିବା ହେଉଛି ପ୍ରଦର୍ଶନକାରୀ ଏମିତି କହିବାକୁ ତାଙ୍କୁ ବାଧ୍ୟ କରିଥିଲେ ।

ଯୋଗେଶଙ୍କ କହିବା ହେଉଛି ତାଙ୍କ ସହିତ ଆଉ କିଛି ବ୍ୟକ୍ତିଙ୍କର ମଧ୍ୟ ଅପହରଣ ହୋଇଥିଲା । ଆନ୍ଦୋଳନକାରୀ ସେମାନଙ୍କ ଅପହରଣ କରି କ୍ୟାମ୍ପରେ ମାଡ ମାରିଥିଲେ । ରାତିରେ ତାଙ୍କୁ ମଦ ପିଆଯାଇଥିଲା ବୋଲି ମଧ୍ୟ ଯୋଗେଶ ଅଭିଯୋଗ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ଯୋଗେଶଙ୍କୁ ଆନ୍ଦୋଳନକାରୀ ମିଡିଆ ସାମ୍ନାରେ ରଖିଥିଲେ । ଏହା ସହ ସେଦିନ ଚାଷୀଙ୍କ ତରଫରୁ ଅଭିଯୋଗ ହୋଇଥିଲା ଯେ, ଜାନୁଆରୀ ୨୬ ଟ୍ରାକ୍ଟର ରାଲି ଉପରକୁ ଗୁଳି ମାଡ କରିବା ପାଇଁ ଯୋଗେଶ ଦିଲ୍ଲୀ ଆସିଥିଲେ ।

ଗୁରୁବାର ଦିନ ମିଡିଆ ଆଗରେ ଯୋଗେଶ କହିଥିଲେ ଯେ, ରାଇ ଥାନାର ଏସଏଚଓ ତାଙ୍କୁ ଗୁଳି ମାଡ କରିବାକୁ ପଠାଇଥିଲେ । ଯୋଗେଶ ରାଇ ଥାନାରେ ଏସଏଚଓ ଭାବେ ପ୍ରଦୀପଙ୍କ ନାମ ନେଇଥିଲେ । କିନ୍ତୁ ରାଇ ଥାନାର କର୍ମଚାରୀଙ୍କ କହିବା ହେଉଛି ଏଭଳି ନାମରେ କୌଣସି ବ୍ୟକ୍ତି ରାଇ ଥାନାରେ ନାହାଁନ୍ତି ।

Leave a Reply