କାନାଡାର ବ୍ରିଟିଶ କୋଲମ୍ବିୟାରେ ଗୁଳିମାଡ଼, ଅନେକ ମୃତ

ଲିଙ୍ଗଲି: କାନାଡାର ପଶ୍ଚିମ ପ୍ରାନ୍ତ ବ୍ରିଟିଶ କୋଲମ୍ବିୟାରେ ଅନେକ ସ୍ଥାନରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଗୁଳିମାଡ଼ରେ ଅନେକ ପ୍ରାଣ ହରାଇଥିବା ସୂଚନା । ମିଡିଆ ରିପୋର୍ଟସ ମୁତାବିକ, ଗୁଳିମାଡ଼ରେ ଦୁଇ ଭାରତୀୟ ବଂଶୋଦ୍ଭବଙ୍କ ସହ ଅନେକଙ୍କ ମୃତ୍ୟୁ ହୋଇଛି । କାନାଡା ସମୟାନୁସାରେ ସକାଳ ୬ ଟା ୨୦ ମିନିଟରେ ହୋଇଥିବା ଏହି ଘଟଣାରେ ଲିଙ୍ଗଲି ସହରରେ ଅନେକ ସ୍ଥାନରେ ଫାୟାରିଙ୍ଗ ପରେ ପୋଲିସ ଜନସାଧାରଣଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି । ରୟାଲ କାନେଡିଆନ ମାଉଣ୍ଟେଡ ପୋଲିସ ଆଲର୍ଟ ଜାରି କରି କହିଛି ଯେ, ସହରର ଆଖପାଖରେ ଗୁଳିଚାଳନାର ଖବର ଆସୁଛି । ତେଣୁ ସମସ୍ତେ ଘରେ ରୁହନ୍ତୁ ।

ପୋଲିସ ଜଣେ ସନ୍ଦିଗ୍ଧକୁ ମଧ୍ୟ ଗିରଫ କରିଛି । ତେବେ ବ୍ୟକ୍ତିଜଣଙ୍କ ମୁଖ୍ୟ ଅଭିଯୁକ୍ତ ନା ଅନ୍ୟମାନେ ଏହି ଗୁଳିମାଡ଼ ଘଟଣାରେ ସାମିଲ ଅଛନ୍ତି ତାର ତଦନ୍ତ ଚାଲିଛି । ସୂଚନାଯୋଗ୍ୟ ୧୦ ଦିନ ପୂର୍ବେ କାନାଡାରେ ରିପୁ ଦମନ ସିଂହ ମଲିକଙ୍କୁ ମଧ୍ୟ ଗୁଳି ମାରି ହତ୍ୟା କରାଯାଇଥିଲା । ରିପୁଦମନ ସିଂହଙ୍କ ନାଁ ସର୍ବପ୍ରଥମେ ୧୯୮୫ ଏୟାର ଇଣ୍ଡିଆର ଫ୍ଲାଇଟ ହାଇଜାକ୍ କରିବାରେ ଆସିଥିଲା । ପରେ ଫ୍ଲାଇଟରେ ବୋମା ବିସ୍ଫୋରଣ ହୋଇଯାଇଥିଲା, ଯେଉଁଥିରେ ସବୁ ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା । ଅବଶ୍ୟ ୨୦୦୫ରେ କୋର୍ଟ ପ୍ରମାଣ ଅଭାବରୁ ମଲିକଙ୍କୁ ମୁକ୍ତ କରିଦେଇଥିଲେ ।