ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା କଂଗ୍ରେସ

Show Cause Notice To Congress MLA Sura Routray

ଭୁବନେଶ୍ୱର: ଦଳ ବିରୋଧୀ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ସୁରଙ୍କ ମନ୍ତବ୍ୟ ପାଇଁ ଦଳର ଭାବମୂର୍ତ୍ତି ନଷ୍ଟ ହେଉଛି ଓ ଦଳ ସମାଲୋଚିତ ହେଉଛି । ବରିଷ୍ଠ ନେତା ହୋଇ କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଲେ, ସେନେଇ ସ୍ପଷ୍ଟୀକରଣ ଦେବାକୁ ନିରଞ୍ଜନ ସୁରଙ୍କୁ ନୋଟିସ୍ କରିଛନ୍ତି ।

ସେପଟେ ନୋଟିସ୍ ପାଇବା ପରେ ବିଧାୟକ ସୁରେଶ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୁଁ କୌଣସି ଦଳ ବିରୋଧୀ ମନ୍ତବ୍ୟ ଦେଇ ନାହିଁ ତେଣୁ ନୋଟିସ୍ ଜବାବ ମଧ୍ୟ ଦେବି ନାହିଁ । କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଏବେ ଓଡ଼ିଶାରେ । ଦଳର ଅନ୍ତକନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଏଭଳି ସ୍ଥିତିରେ ସୁର ଓ ନିରଞ୍ଜନ ଏଭଳି ତୁ ତୁ ମେଁ ମେଁ କଂଗ୍ରେସ ରାଜନୀତିକୁ ରୋଚକ ସ୍ଥିତିରେ ପହଞ୍ଚାଇଛି ।