ଅସୁରକ୍ଷିତ ବଡ଼ଦେଉଳ: ସୁରକ୍ଷା ବଳୟ ଭେଦି ଶ୍ରୀମନ୍ଦିର ଉପରେ ଚଢିବାକୁ ଉଦ୍ୟମ

ଅସୁରକ୍ଷିତ ବଡ଼ଦେଉଳ । ସୁରକ୍ଷା ବଳୟ ଭେଦି ଶ୍ରୀମନ୍ଦିର ଉପରେ ଚଢିବାକୁ ଉଦ୍ୟମ । ୫ ଫୁଟ ଉପରକୁ ଚଢିବା ପରେ ଉଦ୍ଧାର କଲେ ସୁରକ୍ଷା କର୍ମୀ । କେତେବେଳେ ଶ୍ରୀମନ୍ଦିର ଭିତର ଫୋଟୋ ଭାଇରାଲ ହେଉଛି ତ କେତେବେଳେ ଉପରେ ଉଡୁଛି ଡ୍ରୋନ । ସ୍ପାଏ କ୍ୟାମେରା ନେଇ ଭିତରେ ପ୍ରବେଶ କରୁଛନ୍ତି ଲୋକେ । ଗତ କିଛିଦିନ ମଧ୍ୟରେ ଅନେକ ଭକ୍ତ ଶ୍ରୀମନ୍ଦିର ଉପରେ ଚଡିବା ପାଇଁ ଉଦ୍ୟମ କରୁଥିବା ମଧ୍ଯ ନଜର ଆସିଛି । ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ସୃଷ୍ଟି ହୋଇଛି ଆଶଂକା । ଜିଲ୍ଲା ପୋଲିସ ଓ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ଥିବା ସତ୍ତ୍ବେ ସୁରକ୍ଷା ବଳୟକୁ ଭେଦ କରି ଏପରି ଘଟଣା କିପରି ଘଟୁଛି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ।
ଆଜି ପୁଣି ବେହରଣ ଦ୍ବାର ଦେଇ ଦେଉଳର ପ୍ରାୟ ୫ ଫୁଟ ଉପରକୁ ଚଢିଥିଲେ ଉତ୍ତରପ୍ରଦେଶର ମନୋଜ ସିଂ । ତାଙ୍କୁ କାବୁ କରିବା ପରେ ସିଂହଦ୍ୱାର ଥାନାରେ ଅଟକ ରଖାଯାଇଛି । ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଆନନ୍ଦ ବଜ଼ାରରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ କରାଯିବା ସହ କିଛି ସ୍ଥାନରେ ସୁରକ୍ଷା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ ସ୍ଥାନରେ ଲଗାଯିବ ହୋର୍ଡିଂ । ସୁରକ୍ଷାକୁ ନେଇ ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ଦିଗରେ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅନ୍ୟପକ୍ଷରେ ପରିଚାଳନା କମିଟି ଗଠନ ପରେ ନାଟ ମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ଆବଶକୀୟ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।