୧୫ ଜଣଙ୍କୁ ପଛରେ ପକାଇ ୬ ନମ୍ବରକୁ ଡେଇଁଲେ ଟିମ୍ ଇଣ୍ଡିଆ ଅଧିନାୟକ ଶୁବମନ ଗିଲ୍

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଦମଦାର ପାରିର ଲାଭ ମିଳିଛି ଭାରତୀୟ କ୍ରିକେଟ ଟିମର ଟେଷ୍ଟ ଅଧିନାୟକ ଶୁବମନ ଗିଲଙ୍କୁ । ୧୫ ଜଣ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି ଗିଲ୍ । ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ରାକିଂରେ ୨୧ ନମ୍ବର ସ୍ଥାନରୁ ଉପରକୁ ଉଠି ଗିଲ ଷଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି ।ଦ୍ବିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଦ୍ବିଶତକ ଓ ଦ୍ବିତୀୟ ଇଂନିସରେ ଶତକ ମାରି ଭାରତ ବିଜୟର କର୍ଣ୍ଣଧାର ସାଜିଥିବା ଗିଲଙ୍କୁ ଏହି ସଫଳତା ମିଳିଛି । ସପଟେ, ଟେଷ୍ଟ କ୍ରିକେଟରେ ଜୋ ରୁଟଙ୍କୁ ହଟାଇ ହ୍ୟାରି ବ୍ରୁକ୍ ଏକ ନମ୍ବର ସ୍ଥାନ ଦଖଲ କରି ନେଇଛନ୍ତି । ହ୍ୟାରି ଏକ ନମ୍ବର ସ୍ଥାନକୁ ଉଠିଥିବା ବେଳେ ରୁଟ୍ ଗୋଟିଏ ସ୍ଥାନ ତଳକୁ ଖସି ଦ୍ବିତୀୟ ସ୍ଥାନକୁ ଆଓି ଯାଇଛନ୍ତି ।

ସୂଚନାଯୋଗ୍ୟ, ଗିଲ ଇଂଲଣ୍ଡକୁ ଟେଷ୍ଟ ଖେଳିବାକୁ ଆସିବା ସମୟରେ ତାଙ୍କ ଟେକନିକକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଥିଲା । ପ୍ରଥମ ଟେଷ୍ଟରେ ଶତକ ଲଗାଇ ଗିଲ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଥିଲେ । ଏହାପରେ ଏଜବେଷ୍ଟନରେ ଖେଳା ଯାଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ପାରିରେ ଦ୍ବିଶତକ ଲଗାଇଥିଲେ । ଏହାପରେ ଦ୍ବିତୀୟ ପାରିରେ ଶତକ ଲଗାଇ ଥିଲେ । ଏହି ଟେଷ୍ଟରେ ଗିଲ୍ ୪୩୦ ରନ କରିବା ସହ ଆଇସିସି ଟେଷ୍ଟ ରାକିଂରେ ଷଷ୍ଠ ସ୍ଥାନକୁ ଉଠିଛନ୍ତି । ଏହାସହ ତାଙ୍କ ରାକିଂ ପଏଣ୍ଟ ୮୦୭ ହୋଇଯାଇଛି ।

ହ୍ୟାରି ବ୍ରୁକ୍ ଏକ ନମ୍ବର

ହ୍ୟାରି ବ୍ରୁକଙ୍କ କଥା କହିବା ତ, ଇଂଲଣ୍ଡର ଏହି ଖଷଳାଳି ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ ୯୯ ଓ ଦ୍ବିତୀୟ ଇଂନିସରେ ଶତକ ମାରିଥିଲେ । ଏହା ତାଙ୍କୁ ଆଇସିସି ଟେଷ୍ଟ ରାକିଂର ଏକ ନମ୍ବର ସ୍ଥାନରେ ପହଞ୍ଚାଇ ଦେଇଥିଲା । ଦୁଇଟି ଟେଷ୍ଟରେ ଜୋ ରୁଟ୍ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଯାହା ଫଳରେ ତାଲିକାରେ ସେ ଗୋଟିଏ ସ୍ଥାନ ତଳକୁ ଖସି ଆସିଛନ୍ତି । ଅନ୍ୟ ଖେଳାଳିଙ୍କ କଥା କହିବା ତ କେନ ଓ୍ବିଲିୟମସନ ତୃତୀୟ ସ୍ଥାନରେ ଥିବା ବଳେ ୟଶସ୍ବୀ ଜଶଓ୍ବାଲ ଚତୁର୍ଥ ଏବଂ ଷ୍ଟିବ ସ୍ମିତ ପଞ୍ଚମ ସ୍ଥାନରେ ରହିଛନ୍ତି । ଟେମ୍ବା ବାବୁମା ୭ମ ସ୍ଥାନରେ ରହିଛନ୍ତି । ସେହିପରି ଏହି ସିରିଜରେ ଭଲ ପ୍ରଦର୍ଶନ କରିଥିଲେ ବି ରିଷଭ ପନ୍ତ ତଳକୁ ଖସି ଅଷ୍ଟମ ସ୍ଥାନକୁ ଚାଲି ଆସିଛନ୍ତି ।

ଇଂଲଣ୍ଡର ଜେମି ସ୍ମିଥ ୧୬ ଜଣ ବ୍ୟାଟରଙ୍କୁ ପଛରେ ପକାଇ ଟପ୍ ଟେନରେ ନିଜ ସ୍ଥାନ ପକ୍କା କରିଛନ୍ତି । ଆଗକୁ ଲର୍ଡ୍ସ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି । ଏଥିରେ ଭଲ ପ୍ରଦର୍ଶନ କରିବା ଖେଳାଳି ପୁଣି ଥରେ ଟେଷ୍ଟ ରାକିଂରେ ବଡ଼ ଧରଣ ଏପଟ ସେପଟ କରିପାରନ୍ତି । ଏବେ ଦେଖିବାକୁ ବାକି ରହିଲା ଗିଲ ଆଉ ଏକେ ଆଗକୁ ଯାଇ ପାରୁଛନ୍ତି । କାରଣ ତାଙ୍କ ଲକ୍ଷ୍ୟ ଏକ ନମ୍ବର ବ୍ୟାଟର ହେବାର ଅଛି । ଦିନିକିଆରେ ଏକ ନମ୍ବର ପୋଜିସନ ତାଙ୍କ ପାଖରେ ଥିବା ବେଳେ ଟେଷ୍ଟରେ ଏହା ମିଳିବାକୁ ଆଉ କେତେ ଅପେକ୍ଷା କରିବାକୁ ପଡ଼ିବ ଦେଖିବାକୁ ବାକି ରହିଛି ।