ଏସଆଇ ପରୀକ୍ଷା କେଳେଙ୍କାରୀ: ସିବିଆଇ ହାତରେ ବଡ଼ ସୁରାକ, ଖଣି, ବାଲିଘାଟ ନିଲାମ ନେଉଥିଲେ ଦଲାଲ
ନନ୍ଦିଘୋଷ ବ୍ୟୁରୋ: ପୋଲିସ ଏସଆଇ ପରୀକ୍ଷା ମହାକେଳେଙ୍କାରୀ ମାମଲା । ୪ ଦଲାଲଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଘାଣ୍ଟୁଛି ସିବିଆଇ । ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି ସାଙ୍ଘାତିକ ସୁରାକ । ରାଜ୍ୟ ବାହାରେ ବସି ସିଣ୍ଡିକେଟକୁ ଅପରେଟ କରୁଥିଲା ଶଙ୍କର । ଦଲାଲ ନେଉଥିଲେ ବାଲିଘାଟ, ମୋରମ ଖଣି ନିଲାମ । ଓପିଆରବିର ଅପାରଗତା ସମ୍ପର୍କରେ ଅଭିଯୁକ୍ତ ଦେଲେ ଚାଞ୍ଚଲ୍ୟକର ତଥ୍ୟ । ସେପଟେ ଜବତ ଡିଜିଟାଲ ଡିଭାଇସକୁ ନେଇ ତନାଘନା ଚଲାଇଛି ସିବିଆଇର ଟେକ୍ନିକାଲ ଟିମ ।
ଟଙ୍କା ଖାଇ ଟିଙ୍କ ବନିଥଲେ । ପୋଲିସ ଚାକିରି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏବେ ସିବିଆଇକୁ ଦେଖି ଲୁଚିଲେଣି । ପାୱାର କରିଡରରେ କୋକୁଆ ଭୟ । ସମୟ ମଧ୍ୟାହ୍ନ ୧୨ ଟା ୧୫ରେ ଝାରପଡା ସ୍ୱତନ୍ତ୍ର ଜେଲ ପରିସରକୁ ପଶିଥିଲା ସିବିଆଇ ଟିମ । ଆଉ ଦୀର୍ଘ ଏକ ଘଣ୍ଟାର କାଗଜପତ୍ର ଯାଞ୍ଚ, ସ୍ୱାସ୍ଥ୍ୟ ପରୀକ୍ଷା ପରେ ୧ ଟା ୩୦ରେ ଜେଲରୁ ୪ ଅଭିଯୁକ୍ତଙ୍କୁ ଧରି ବାହାରିଲା ଟିମ । ୩ ଦିନିଆ ରିମାଣ୍ଡରେ ଥିବା ୪ ଦଲାଲ ଲୋକନାଥ ସାହୁ, ତଫିମ ଅହମ୍ମଦ ଖାନ, ବିଶ୍ୱଜିତ ହରିଚନ୍ଦନ, ଏସଏସବି ଯବାନ ବିଶ୍ୱରଞ୍ଜନ ସେନାପତିଙ୍କୁ ନେବା ପରେ ଘଣ୍ଟା ଘଣ୍ଟା ଧରି ଝାଳବୁହା ଜେରା କରିଛି ସିବିଆଇ । ଆଶାୟୀଙ୍କ ଝାଳବୁହା ଧନରେ ଅୟସ ଆରାମ କରୁଥିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ଫର୍ଚୁନର ଗାଡି ମେଣ୍ଟେନ କରିବା ସହ ଓଡିଶା ବାହାରେ କେମିତି ଘର କିଣିଥିଲା ସେ ନେଇ ଆରମ୍ଭ ହୋଇଛି ଖୋଳତାଡ଼ । ଆଶାୟୀଙ୍କ ବାପାଙ୍କ ମଧ୍ୟରେ ବରିଷ୍ଠ ଆଇପିଏସ ଥିବା ଜଣାପଡିବା ପରେ ଚାକିରି କଳାବଜାରୀର ଗହନ କଥା ସମ୍ପର୍କରେ ଅଧିକ ହୋଇପାରେ ଖୋଳତାଡ଼ । ସେପଟେ ଦିଲ୍ଲୀରୁ ଆସି ଭୁବନେଶ୍ୱର ସିବିଆଇ ଅଫିସରେ ପହଞ୍ଚିଛି ଟେକ୍ନିକାଲ ଟିମ । ଜବତ ଡିଜିଟାଲ ଡିଭାଇସକୁ କରାଯିବ ଯାଞ୍ଚ ।
ପୂର୍ବରୁ ୧୩ ଜଣ ଆଶାୟୀଙ୍କୁ ଜେରା ସରିଛି । ଆଜି ପୁଣି ୨ ପରୀକ୍ଷାର୍ଥୀ ହାଜର ହୋଇ ପକ୍ଷ ରଖିଛନ୍ତି । ମିଳିଥିବା ତଥ୍ୟ ମୁତାବକ ପୋଲିସ ଏସଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା । ସିଲିକନ୍ ଏହାକୁ ସବ୍ଲେଟେର ବ୍ରହ୍ମପୁରର ପଞ୍ଚସଫ୍ଟକୁ ଦେଇଥିଲା । ସେଣ୍ଟର ତଦାରଖଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ପଞ୍ଚସଫ୍ଟକୁ ମିଳିଥିଲା । ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି କେଳେଙ୍କାରୀ ଯୋଜନା କରିଥିଲେ । ଏହି ଅପରାଧ ସିଣ୍ଡିକେଟର ଦକ୍ଷିଣ ଓଡ଼ିଶାକୁ ମୁନା ମହାନ୍ତି ଓ ଉତ୍ତର ଓଡ଼ିଶାକୁ ଅରବିନ୍ଦ ଦାସ ସମ୍ଭାଳୁଥିଲେ । ଏମାନଙ୍କ ଅଧୀନରେ ୧୦ ଜଣ ଲେଖାଏଁ ଏଜେଣ୍ଟ ଥିଲେ । ସେମାନେ ଆଶାୟୀ ପ୍ରାର୍ଥୀଙ୍କୁ ଯୋଗାଡ଼ କରୁଥିଲେ । ଆଶାୟୀଙ୍କଠାରୁ ମୁନା ଆଗୁଆ ମୂଳ ପ୍ରମାଣପତ୍ର ହାତେଇବା ସହ ଶଙ୍କର ପାଖକୁ ଆଣି କୋଟି କୋଟି ଟଙ୍କା ଲୁଟିଥିଲା
ଅଭିଯୁକ୍ତଙ୍କୁ ଜେରା କରିବା ପରେ କିଛି ବଡ଼ ବଡ଼ିଆଙ୍କ ଲିଙ୍କ, ହାୱଲା କାରବାର ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ପାଇଛି ସିବିଆଇ । ଆଉ ଏହି ତଥ୍ୟ ଆଧାରରେ ଖୁବଶୀଘ୍ର ନୋଟିସ ହେବା ନେଇ ସୂଚନା ମିଳିବା ପରେ ପାୱାର କରିଡରରେ ଛନକା ପଶିଛି ।

