ବହୁଚର୍ଚ୍ଚିତ SI ନିଯୁକ୍ତି ପରୀକ୍ଷା ମହାକେଳେଙ୍କାରୀ : ମାଷ୍ଟରମାଇଣ୍ଡ ମୁନା ମହାନ୍ତି ଗିରଫ

ଭୁବନେଶ୍ବର : ବହୁଚର୍ଚ୍ଚିତ ସବ-ଇନିସପେକ୍ଟର ନିଯୁକ୍ତି ପରୀକ୍ଷା ମହାକେଳେଙ୍କାରୀର ମାଷ୍ଟରମାଇଣ୍ଡ ମୁନା ମହାନ୍ତି ଗିରଫ । ମୁନାକୁ ଦଶପଲ୍ଲାରେ ଥିବା ଏକ ଫାର୍ମ ହାଉସରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମୁନା ସମେତ ଦୁଇ ସହଯୋଗୀ ସୁକାନ୍ତ ମହାରଣା ଓ ଶ୍ରୀକାନ୍ତ ମହାରଣାକୁ ଗିରଫ କରାଯାଇଛି । ମୋଟ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଆଜି ୩ ଜଣଙ୍କୁ ବ୍ରହ୍ମପୁର କୋର୍ଟରେ ହାଜର କରାଯିବ । ଗିରଫ ପରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ନେଉଛି କ୍ରାଇମବ୍ରାଞ୍ଚ । ସେପଟେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଖୋଜ ଖବର ପାଉନି ତଦନ୍ତାକାରୀ ସଂସ୍ଥା । ଗତ ୩୦ ତାରିଖରୁ ରାଜ୍ୟରେ ସବଇନିସପେକ୍ଟର ନିଯୁକ୍ତି ପରୀକ୍ଷା ମହାକେଳେଙ୍କାରୀ ନେଇ ହଇଚଇ ସୃଷ୍ଟି ହୋଇଥିବାବେଳେ, ମୁନା ମହାନ୍ତି ତାଙ୍କ ସହଯୋଗୀଙ୍କ ସହ ଗୋଟିଏ ଫାର୍ମ ହାଉସରୁ ଗିରଫ ହେଉଛନ୍ତି । କିଏ ସେ ଫାର୍ମ ହାଉସ ମାଲିକ ? ଯିଏ ଏଭଳି ଅଭିଯୁକ୍ତଙ୍କୁ ତାଙ୍କ ଫାର୍ମ ହାଉସରେ ଶରଣ ଦେଇଥିଲା ? କ୍ରାଇମବ୍ରାଞ୍ଚ ତାଙ୍କୁ ସ୍କାନରକୁ ଆଣିବ କି ? ପୂର୍ବରୁ ଏହି ମହାକେଳେଙ୍କାରୀ ମାମଲାରେ ୩ ଦଲାଲ ଗିରଫ ହୋଇଥିଲେ। ଯେଉଁମାନେ କି ଗତକାଲି ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ମୁନା ମହାନ୍ତି ହେଉଛି ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ସହଯୋଗୀ। ଆଶାୟୀଙ୍କ ଠାରୁ ଟଙ୍କା ସଂଗ୍ରହ କରି ବରମୁଣ୍ଡା ବସଷ୍ଟାଣ୍ଡରେ ଆଶାୟୀଙ୍କୁ ବସରେ ବସାଇବାକୁ ଆସିଥିବା ଭିଡିଓ ଦେଖିବାକୁ ମିଳିଥିଲା। ଏବେ ପ୍ରଶ୍ନ ଉଠୁଛି କେଳେଙ୍କାରୀର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି ଗଲେ କୁଆଡ଼େ ? ଶଙ୍କର ପୃଷ୍ଟି ଏବେ କେଉଁଠି? ଶୁଣାଯାଉଛି ଲୁକ ଆଉଟ ସର୍କୁଲାର ଜାରି ହେବା ପୂର୍ବରୁ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଦୁବାଇ ଚାଲିଯାଇଛି ? ଯଦି ଏହା ସତ ତାହେଲେ ସାଂଘାତିକ।
ଏହାର ଅର୍ଥ ଶଙ୍କର ପୃଷ୍ଟି ପଛରେ ବଡ଼ ବଡ଼ିଆ ବାବୁଙ୍କ ଲମ୍ବା ହାତ ରହିଛି। ଲୁକ ଆଉଟ ସର୍କୁଲାର ଜାରି ହେଲା ଗତ ୧୨ ତାରିଖ ରବିବାର ଦିନ। ଏହାସହିତ ଶଙ୍କର ପୃଷ୍ଟି ସମେତ ୧୦ ଜଣଙ୍କ ଆଉକାଉଣ୍ଟଙ୍କୁ ଫ୍ରିଜ କରିଥିଲା କ୍ରାଇମବ୍ରାଞ୍ଚ। ଶଙ୍କର ପୃଷ୍ଟି ଧରାପଡ଼ିଗଲେ କାଳେ ଅସଲ ଗୁମର ଖୋଲିଯିବ। ଧରା ପଡ଼ିଯିବେ ବଡ଼ ବଡ଼ିଆ। ସେଥିପାଇଁ ତାଙ୍କୁ ଆଗରୁ ବିଦେଶକୁ ଖସାଇ ଦେଇ ଲୁକ ଆଉଟ ସର୍କୁରାଲ ଜାରି କରାଗଲା ବୋଲି ଚର୍ଚ୍ଚା ହେଉଛି। ଏବେ ଶଙ୍କର ପୃଷ୍ଟି ଗିରଫ ନ ହେବା ଯାଏ SI କେଳେଙ୍କାରୀର ଗୁମର ଖୋଲିବନି। କଣ ରାଜ୍ଯ କ୍ରାଇମବ୍ରାଞ୍ଚ ଦୁବାଇ ଯାଇ ଶଙ୍କରଙ୍କୁ ଠାବ କରିପାରିବ ? ନା ରାଜ୍ଯ କି ଦେଶ ଭିତରେ ରହି ଶଙ୍କର ଗୋଟି ଚଳାଉଛନ୍ତି । ସେପଟେ ମାନବସମ୍ବଳ ଅଭାବ ବୋଲି ଦର୍ଶାଇ ଭାଇରାଲ ହୋଇଥିବା ଏକ ପ୍ରେସ ରିଲିଜ ଜରିଆରେ ନିଜ ମୁଣ୍ଡରୁ ଦୋଷ ଝାଡ଼ିଦେବାକୁ ଉଦ୍ୟମ କରିଛି ଓପିଆରବି।