୧୧ ଦିନ ବିତିଲା, ଧରାପଡ଼ିଲେନି SI କେଳେଙ୍କାରୀର ମାଷ୍ଟରମାଇଣ୍ଡ

1 min read

ନନ୍ଦିଘୋଷ ବ୍ୟୁରୋ: କୁଆଡେ ଗଲା ଶଙ୍କର ପୃଷ୍ଟି ? କୁଆଡେ ଗଲା ମୁନା ମହାନ୍ତି ? କେବେ ଧରାହେବେ ଏସଆଇ ନିଯୁକ୍ତି କେଳେଙ୍କାରୀର ମାଷ୍ଟରମାଇଣ୍ଡ ? ପୋଲିସ ଚାକିରି ବିକ୍ରି ଘଟଣାରେ ୧୧୪ ଆଶାୟୀଙ୍କୁ ବାନ୍ଧି ବାହାବା ନେଉଛନ୍ତି ପୋଲିସ ଓ କ୍ରାଇମବ୍ରାଞ୍ଚ । ତଦନ୍ତ କେବଳ ସିଲିକନ, ପଞ୍ଚସଫ୍ ଲିମିଟେଡ ଭିତରେ ଅଟକି ଯାଇଛି । ଧରାପଡ଼ିଛନ୍ତି ମାତ୍ର ୫ ଜଣ ଦଲାଲ । ଗୁଜରାଟର ITI ଲିମିଟେଡ ବେଆଇନ ଭାବେ ସବଲେଟିଂ କଲା । ସବୁ ଜାଣିଥିଲା ଓପିଆରବି । ହେଲେ ଏପର୍ଯ୍ୟନ୍ତ ନା ଆଇଟିଆଇ ଲିମିଟେଡର କୌଣସି ଅଧିକାରୀଙ୍କୁ ପଚାରିଲାଣି ନା ଓପିଆରବିର ମୁଖିଆ ଓ ଅଧିକାରୀଙ୍କୁ ତଦନ୍ତ ପରିସରକୁ ଅଣାଗଲାଣି । ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଥିବାରୁ ସିବିଆଇ ତଦନ୍ତ ନେଇ ବିରୋଧୀ ଦାବି କରି ଆସୁଛନ୍ତି । ସେପଟେ ସିବିଆଇ ତଦନ୍ତ ନେଇ ଆଦେଶ ଦେବାକୁ ହାଇକୋର୍ଟରେ ଦାଏର ହୋଇଛି ଜନସ୍ଵାର୍ଥ ମାମଲା । ତଥାପି ନିଘୋଡ଼ ନିଦରେ ସରକାର ।

୧୧ ଦିନ ବିତିଲା, ଧରାପଡ଼ିଲେନି SI କେଳେଙ୍କାରୀର ମାଷ୍ଟରମାଇଣ୍ଡ । କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟିଙ୍କ ଏବେ ସୁଦ୍ଧା ଟେର ପାଉନି। ସେପଟେ ସହଯୋଗୀ ମୁନା ମହାନ୍ତି ବି ଫେରାର। କ୍ରାଇମବ୍ରାଞ୍ଚ କେବଳ ଗୋଟିଏ ଦୁଇଟି ପ୍ରେସ ବିଜ୍ଞପ୍ତି ଜାରି କରି କାମ ସାରିଦେଇଛି । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି କ୍ରାଇମବ୍ରାଞ୍ଚର ତଦନ୍ତ କେବଳ ସିଲିକନ ଟେକ୍ ଲ୍ୟାବ ଓ ପଞ୍ଚସଫ୍ଟ ଲିମିଟେଡ ପାଖରେ ଅଟକି ଯାଇଛି । ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ପାଇଁ ଗତ ଜାନୁଆରୀରୁ ହୋଇଥିଲା ଏକ ପ୍ରକାର ଷଡ଼ଯନ୍ତ୍ର । ଗୁଜୁରାଟର ଆଇଟିଆଇ ଲିମିଟେଡକୁ ପରୀକ୍ଷା ପରିଚାଳନା ପାଇଁ ଚୁକ୍ତି କରିଥିଲା ଓପିଆରବି । ଚୁକ୍ତିପତ୍ରରେ ସବଲେଟିଂ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନଥିଲା । କିନ୍ତୁ ଗୁଜରାଟର ଆଇଟିଆଇ ପାଖରୁ ରିଚ୍ ମାଇଣ୍ଡସ୍ ଓ ବେଆଇନ ଭାବେ ସିଲିକନ ଟେକ୍ ଲ୍ୟାବକୁ ପରିଚାଳନା ଦାୟିତ୍ଵ ଟେକି ଦେଲା । ଯାହାକୁ ନେଇ ସରକାର ଓ ଓପିଆରବି ମଧ୍ୟରେ ହୋଇଥିଲା ଆଭ୍ୟନ୍ତରୀଣ କନ୍ଦଳ । ଏଥିଲାଗି ଗତ ମାର୍ଚ୍ଚରେ ହେବାକୁ ଥିବା ପରୀକ୍ଷା ହୋଇପାରି ନଥିଲା । ଗହନ କଥା ହେଉଛି ଚାକିରି ବିକ୍ରି ଷଡ଼ଯନ୍ତ୍ର ନେଇ ଆଇଟିଆଇଠାରୁ ଠିକା ପାଇଥିବା ରିଚ୍ ମାଇଣ୍ଡସ୍ ଅଂଶୀଦାରଙ୍କ ମଧ୍ୟରେ ଦେଖାଦେଇଥିଲା ବିବାଦ । ଜଣେ ଅଂଶୀଦାରଙ୍କ ଅଭିଯୋଗ ଆଧାରରେ ରିଚ୍ ମାଇଣ୍ଡସକୁ ପରୀକ୍ଷା ପରିଚାଳନା ଦାୟିତ୍ଵରୁ ବାଦ ଦିଆଯାଇଥିଲା । ଘଟଣାର ତଦନ୍ତ ପାଇଁ ଓପିଆରବି ଏକ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲେ । କିନ୍ତୁ କମିଟି କ’ଣ ରିପୋର୍ଟ ଦେଲା ତାହା ଆଜି ଯାଏଁ ସାର୍ବଜନୀନ ହେଲାନାହିଁ । ଅନ୍ୟପଟେ ଚାକିରି ବିକ୍ରି ଷଡ଼ଯନ୍ତ୍ର ସମ୍ପର୍କରେ ସୁରାକ ପାଇବା ପରେ ତତ୍କାଳୀନ ଓପିଆରବି ଅଧ୍ୟକ୍ଷ ସନ୍ତୋଷ କୁମାର ଉପାଧ୍ୟାୟ ଅଧ୍ୟକ୍ଷ ପଦରୁ ଓହରି ଯାଇଥିଲେ । ଆଇଟିଆଇ କେନ୍ଦ୍ରୀୟ ପିଏସୟୁ ହୋଇଥିବାରୁ କ୍ରାଇମବ୍ରାଞ୍ଚ କ’ଣ ତା’ର ଅଧିକାରୀଙ୍କୁ ଜେରା କରିପାରୁନି କି ?

ଗତ ମାର୍ଚ୍ଚ ୮ ଓ ୯ ତାରିଖରେ ଏସଆଇ ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିଲା । ହେଲେ ଆଡମିଟ୍ କାର୍ଡ ଜାରି କରାଯିବା ପୂର୍ବରୁ ପରୀକ୍ଷାକୁ ବାତିଲ କରାଯାଇଥିଲା । ମାର୍ଚ୍ଚ ପ୍ରଥମ ସପ୍ତାହରେ ଅନେକ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ଅଭ୍ୟାସ ପାଇଁ ରାଜ୍ୟ ବାହାରକୁ ଚାଲିଯାଇଥିଲେ । ମାର୍ଚ୍ଚ ୩ ତାରିଖରୁ ଉଭାନ ହୋଇଯାଇଥିବା ପରୀକ୍ଷାର୍ଥୀଙ୍କ ସାଙ୍ଗ ସାଥିମାନେ ଏ ସଂକ୍ରାନ୍ତରେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରିଥିଲେ ମଧ୍ୟ ତାକୁ ସେତେଟା ଗୁରୁତ୍ଵ ଦିଆଯାଇଥିଲା । ପ୍ରଶ୍ନପତ୍ର ଲିକ୍ କରି ଚାକିରି ବିକ୍ରି କରିବା ଯୋଜନାରେ ବହୁ ବରିଷ୍ଠ ଅଧିକାରୀ ସାମିଲ ବୋଲି ରିଚ୍ ମାଇଣ୍ଡ୍ କମ୍ପାନୀର ଜଣେ ଅଂଶୀଦାର ପ୍ରଥମେ ମୌଖିକ ଓ ପରେ ବିଧିବଦ୍ଧ ଅଭିଯୋଗ କରିବାରୁ ଯୋଜନା ପଣ୍ଡ ହୋଇଥିଲା । କମ୍ପାନୀ ସହ ଜଡ଼ିତ ଅନ୍ୟ ଜଣେ ବ୍ୟକ୍ତି ଓଡ଼ିଶାରେ ପରୀକ୍ଷା ପରିଚାଳନା କରୁଥିବା ନେଇ ଜଣାପଡିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କିଛି ପୋଲିସ ଅଧିକାରୀ ସାମିଲ ଥିବା ନେଇ ଅଂଶୀଦାର ମଧ୍ୟ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ତଲବ କରାଯାଇଥିଲା । ହେଲେ ସେ ଅଧିକାରୀ ଜଣକ ଉତ୍ତର ରଖିଲେ କି ନାହିଁ ଆଜି ଯାଏଁ ଜଣାପଡିନାହିଁ ।

ଏସଆଇ କେଳେଙ୍କାରୀରେ ଗତ ୨୯ ସେପ୍ଟେମ୍ବରରେ ଶ୍ରୀକାକୁଲମରୁ ଧରାପଡ଼ିଥିଲେ ୧୧୪ ପରୀକ୍ଷାର୍ଥୀଙ୍କ ସହ ୩ ଦଲାଲ । କେବେ ଧରା ହେବେ ମାଷ୍ଟରମାଇଣ୍ଡ ଏବଂ କାହିଁକି ଚୁପ ପୋଲିସ ମୁଖିଆ ? ଏପର୍ଯ୍ୟନ୍ତ OPRBକୁ କ୍ରାଇମବ୍ରାଞ୍ଚ ଜେରା କରିନି । କେବେ ବଡ଼ ବଡ଼ ଅଧିକାରୀଙ୍କୁ ପାଖରେ କ୍ରାଇମବ୍ରାଞ୍ଚ ପହଞ୍ଚିପାରିବ ନା ସବୁକିଛି ପୁଣିଥରେ ନାଲି ଫିତା ତଳେ ଚାପି ହୋଇଯିବ ତାହା ଦେଖିବାକୁ ବାକି ରହିଛି ।