spot_img

Latest Posts

ସିନ୍ଦେଙ୍କ ଦଳର ନାଁ ହୋଇପାରେ ‘ଶିବସେନା ବାଲାସାହେବ’

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ଅଚଳାବସ୍ଥା । ଶିବସେନାର ଦୁଇ ଗୋଷ୍ଠୀ ମଧ୍ୟରେ ଜାରି ରହିଛି ଛକାପଞ୍ଝା । ଏକନାଥ ସିନ୍ଦେ ଗୋଷ୍ଠୀ ପକ୍ଷରୁ ବଡ ଆହ୍ବାନ ସୃଷ୍ଟି ହୋଇଥିବା ବେଳେ ଶିବସେନାର ଜାତୀୟ କାର୍ଯ୍ୟକାରିଣୀ ବସିଛି । ଏକନାଥ ଆଉ ଏକ ନୂଆ ଦଳ ଗଢିବା ନେଇ ସୂଚନା ମିଳିଛି  । ମିଳିଥିବା ସୂଚନା ମୁତାବକ ଶିବସେନା ବାଲାସାହେବ ନାମରେ ଦଳ ଗଢିପାରନ୍ତି ଏକନାଥ ସିନ୍ଦେ  । ସେପଟେ କାର୍ଯ୍ୟକାରିଣୀ ପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି ଟିମ୍ ଉଦ୍ଧବ । ବିଦ୍ରୋହୀ ଶିବସେନା ବିଧାୟକଙ୍କ ବିରୋଧରେ ଯେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉଦ୍ଧବ ଠାକ୍ରେଙ୍କୁ ଅଧିକାର ଦିଆଯାଇଥିଲା । ଏହାଛଡା ବିଦ୍ରୋହୀ ନେତାଙ୍କୁ ଶିବସେନା ଓ ବାଲାସାହେବ ଠାକ୍ରେଙ୍କ ନାଁ ବ୍ୟବହାର ନ କରିବାକୁ ଗୃହୀତ ହୋଇଛି ପ୍ରସ୍ତାବ ।

ରାଜନୈତିକ ସଂକଟ ମଧ୍ୟରେ ବିଦ୍ରୋହୀଙ୍କୁ ଲାଗିଛି ଏକ ବଡ ଝଟକା । ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତିଙ୍କ ବିରୋଧରେ ଏକନାଥ ସିନ୍ଦେ ଗୋଷ୍ଠୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି । ୩୩ ବିଦ୍ରୋହୀ ବିଧାୟକ ସ୍ବାକ୍ଷର କରି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । କିନ୍ତୁ ଏହି ପ୍ରସ୍ତାବ କୌଣସି ବିଧାୟକ ଉପବାଚସ୍ପତିଙ୍କ କାର୍ଯ୍ୟାଳୟକୁ ପଠାଇ ନ ଥିଲେ । ଏକ ଅଜଣା ଇମେଲ ଆଇଡିରୁ ଆସିଥିଲା ଅନାସ୍ଥା ପ୍ରସ୍ତାବ । ଏହାଛଡା ଅନାସ୍ଥା ପ୍ରସ୍ତାବ ଶିବସେନା ଲେଟରହେଡରେ ଆସିଥିବାରୁ ତାହା ଖାରଜ ହୋଇଥିବା ସୂତ୍ରରୁ ଜଣାପଡିଛି । କାରଣ ବିଧାନସଭା ରେକର୍ଡ ଅନୁସାରେ ଏକନାଥ ସିନ୍ଦେ ନୁହନ୍ତି ବରଂ ଅଜୟ ଚୌଧୁରୀ ହିଁ ବିଧାନସଭାରେ ବର୍ତ୍ତମାନ ଶିବସେନା ବିଧାୟକ ଦଳ ନେତା ।

ଏଣେ ଆଉ ଏକ ଘଟଣାରେ ଶିବସେନାର ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନୋଟିସ ପଠାଇଛନ୍ତି ଉପବାଚସ୍ପତି । ଏଥିପାଇଁ ଅନୁରୋଧ କରିଥିଲେ ଟିମ୍ ଉଦ୍ଧବ । ଆସନ୍ତା ସୋମବାର ସୁଦ୍ଧା ବ୍ୟକ୍ତିଗତ ହାଜିରା ବା ଓକିଲଙ୍କ ଦ୍ବାରା ପକ୍ଷ ରଖିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ରୋହୀଙ୍କ ପ୍ରତି ଟିମ୍ ଉଦ୍ଧବ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ବିଦ୍ରୋହୀ ଏକନାଥ ସିନ୍ଦେ ଶିବସେନା ବାଲାସାହେବ ଠାକ୍ରେ ନାମରେ ଅଲଗା ଦଳ ଗଠନ କରିବେ ବୋଲି ସଂକେତ ଦେଇସାରିଛନ୍ତି ।ଏଯାଏଁ ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ଏକନାଥ ସିନ୍ଦେ ।

ଶିବସେନାରେ ସଂକଟ ଜାରି ରହିଥିବା ବେଳେ ପୁଣେରେ ବିଦ୍ରୋହୀ ବିଧାୟକ ତାନାଜୀ ସାଓ୍ବନ୍ତ ସିନ୍ଦେଙ୍କ ଅଫିସରେ ଭଙ୍ଗାରୁଜା କରିଛନ୍ତି ଶିବସେନା କର୍ମୀ । ଏହି ଘଟଣା ପରେ ପୁଣେରେ ଶିବସେନା ନେତାଙ୍କ ସଂପର୍କିତ ସବୁ କାର୍ଯ୍ୟାଳୟରେ ସୁରକ୍ଷା ନିଶ୍ଚିତ କରିବାକୁ ସହରର ସବୁ ପୋଲିସ ଷ୍ଟେସନକୁ ଆଲର୍ଟ ଜାରି କରିଛି ପୁଣେ ପୋଲିସ । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ମୁମ୍ବାଇରେ ଜାରି କରାଯାଇଛି ୧୪୪ ଧାରା ।

Latest Posts

Don't Miss