ସିଙ୍ଗାପୁର ଓପନ: ଜାପାନର କାୱାକାମୀଙ୍କୁ ହରାଇ ଫାଇନାଲରେ ପିଭି ସିନ୍ଧୁ

1 min read

ନୂଆଦିଲ୍ଲୀ: ସିଙ୍ଗାପୁର ଓପନ ସୁପର ୫୦୦ ବ୍ୟାଡମିଣ୍ଟନ ସିରିଜର ମହିଳା ଏକକ ବର୍ଗ ଫାଇନାଲରେ ପିଭି ସିନ୍ଧୁ ପହଞ୍ଚିଛନ୍ତି । ଗତ କିଛି ଦିନ ହେବ ଖରାପ ଫର୍ମ ଦେଇ ଗତି କରୁଥିବା ସିନ୍ଧୁ ଆଜି ସେମିଫାଇନାଲ ମ୍ୟାଚ୍ ଜିତି ପୁଣିଥରେ ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି । ଜାପାନର ସାଏନା କାୱାକାମୀଙ୍କୁ ସେମିଫାଇନାଲରେ ଦୁଇଟି ସେଟରେ ୨-୦ ରେ ହରାଇ ବିଜୟୀ ହୋଇଛନ୍ତି ।

୨୦୨୨ ସୁପର ୫୦୦ ବ୍ୟାଡମିଣ୍ଟନ ଟାଇଟଲ ଜିତିବାର ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି ସିନ୍ଧୁ । ଦୁଇ ଦୁଇଥର ଅଲମ୍ପିକରେ ଭାରତ ପାଇଁ ମେଡାଲ ଜିତିଥିବା ପିଭି ସିନ୍ଧୁଙ୍କ ଆଜିର ପ୍ରଦର୍ଶନ ପାଇଁ ସବୁଆଡୁ ପ୍ରଶଂସା କରାଯାଇଛି । ଆଜିର ସେମିଫାଇନାଲ ମ୍ୟାଚ ୩୨ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ମ୍ୟାଚ ଆରମ୍ଭରୁ ହିଁ ସିନ୍ଧୁ ବିପକ୍ଷ ଖେଳାଳିଙ୍କୁ ଡୋମିନେଟ କରି ରଖିଥିଲେ । ୨୧-୧୫ ଓ ୨୧-୭ ଅନ୍ତରରେ କାୱାକାମୀଙ୍କୁ ପରାଜିତ କରିଛନ୍ତି ।

କାୱାକାମୀଙ୍କ ବିପକ୍ଷରେ ଶେଷଥର ୨୦୧୮ରେ ଚୀନ ଓପନରେ ସିନ୍ଧୁ ମ୍ୟାଚ ଖେଳିଥିଲେ । ସେ ସମୟରେ ମଧ୍ୟ ସିନ୍ଧୁ ତାଙ୍କୁ ପରାଜିତ କରିଥିଲେ  । ଉଭୟଙ୍କ ମଧ୍ୟରେ ମୋଟ ୩ଟି ମୁକାବିଲା ହୋଇଛି । ସବୁ ମ୍ୟାଚ ପିଭି ତାଙ୍କଠାରୁ ଜିତିଛନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ସୟଦ ମୋଦୀ ଇଣ୍ଟରନ୍ୟାସନାଲ ଏବଂ ସ୍ୱିସ୍ ଓପନରେ ଦୁଇଟି ସୁପର ୩୦୦ ଟାଇଟଲ ଜିତିଛନ୍ତି ପିଭି ।