ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକପ୍ରିୟ ଗାୟକ ଉଦିତ୍ ନାରାୟଣଙ୍କ ପ୍ରଶଂସା

ଭୁବନେଶ୍ୱର: ଗୋଟେ ପଟେ ପଞ୍ଚାୟତ ନିର୍ବାଚନ ପାଇଁ ନେତା ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ଆରମ୍ଭ ହୋଇଗଲାଣି ମ୍ୟୁଜିକ୍ କମ୍ପୋଜ । ବିଶିଷ୍ଟ ଗୀତିକାର ତପୁ ନାୟକଙ୍କ ଏକ ଗୀତକୁ ମ୍ୟୁଜିକରେ ସଜାଇଛନ୍ତି ବିଶିଷ୍ଟ କମ୍ପୋଜର ଜାପାନୀ ଭାଇ ।

ବଲିଉଡର ପ୍ରଖ୍ୟାତ ପ୍ରଚ୍ଛଦପଟ୍ଟ ଗାୟକ ଉଦିତ୍ ନାରାୟଣ ଗୀତଟିକୁ ଗାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭୂୟସୀ ପ୍ରଶଂସା କରିଛନ୍ତି । ନବୀନଙ୍କୁ ଦେଶର ନମ୍ବର ଓ୍ୱାନ୍ ମୁଖ୍ୟମନ୍ତ୍ରୀ କହିବା ସହ ତାଙ୍କ ସମ୍ପର୍କିତ ଗୀତ ଗାଉଥିବାରୁ ସେ ନିଜକୁ ସୌଭାଗ୍ୟ ମନେ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ପାଇଁ ମୁଖ୍ୟମନ୍ତ୍ରୀ ପ୍ରସିଦ୍ଧି ଲାଭ କରିଥିବା କହିଛନ୍ତି ଉଦିତ୍ ନାରାୟଣ ।

ତେବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କୌଣସି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ, ଜୀବନଶୈଳୀ, ବ୍ୟକ୍ତିତ୍ୱ  ଲାଗି ପ୍ରଶଂସା କରିଆସିଛନ୍ତି । ପୂର୍ବରୁ ମଧ୍ୟ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ଦ କପିଲ୍ ଶର୍ମା ସୋ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ଦେଖିବାକୁ ମିଳିଥିଲା । ସୋ’ର ଉପସ୍ଥାପକ ତଥା ପପୁଲାର କମେଡିଆନ କପିଲ ଶର୍ମା ଜାତୀୟ ହକି ଦଳରେ ଓଡିଶାର ଭୂମିକାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

ନିକଟରେ ପ୍ରସାରିତ ହୋଇଥିବା ସୋ’ର ଏକ ଏପିସୋଡରେ ପହଞ୍ଚିଥିଲେ ଟୋକିଓ ହକି ହିରୋ ଉଭୟ ପୁରୁଷ ଓ ମହିଳା ହକି ଟିମ । ଏହି ଅବସରରେ କପିଲ ଶର୍ମା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ପ୍ରଶଂସା କରିଛନ୍ତି । ସେହିପରି ଟୋକିଓ ହିରୋଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଯୋଗେ ଅଭିନନ୍ଦନ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୋ ରେ କହିଥିଲେ, ଆଗାମୀ ପିଢିର ଖେଳାଳି ଦୁଇ ଟିମର ଖେଳାଳିଙ୍କ ଠାରୁ ପ୍ରେରଣା ପାଇ ଆଗକୁ ବଢ଼ିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଟୋକିଓରେ ସଫଳତା ଏକ ଆରମ୍ଭ ମାତ୍ର । ଆଗକୁ ଆହୁରି ସଫଳତାର ଶିଢ଼ି ଚଢ଼ିବା ବୋଲି କହି ଖେଳାଳିଙ୍କୁ ପ୍ରୋତ୍ସାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ହକିକୁ ସପୋର୍ଟ କରୁଥିବାରୁ କପିଲ ଶର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ ।

Leave a Reply