‘ସାର ମାଗୁଥିଲେ ଫେଭର’ ‘ଫେଭର ନ ଦେଲେ ଫେଲ କରିଦେବି ‘

ନନ୍ଦିଘୋଷ ବ୍ୟୁରୋ : ସାର ମାଗୁଥିଲେ ଫେଭର’ । ‘ଫେଭର ନ ଦେଲେ ଫେଲ କରିଦେବି ‘।  କର୍ତ୍ତୃପକ୍ଷଙ୍କୁ ଜଣାଇଲେ ବି କେହି କରୁନଥିଲେ କର୍ଣ୍ଣପାତ । ଶେଷରେ ଏଚଓଡିଙ୍କୁ ମିଳିଲା କ୍ଲିନଚିଟ୍ । ନ୍ୟାୟ ନ ପାଇ ବାଧ୍ୟ ହୋଇ ଛାତ୍ରୀ ନେଲେ ଚରମ ନିଷ୍ପତ୍ତି । ପେଟ୍ରୋଲ ଢାଳି ନିଜ ଦେହରେ ଲଗାଇଦେଲେ ନିଆଁ । ବାଲେଶ୍ଵର ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗ ମୁଖ୍ୟଙ୍କ ନାଁରେ ଦୁର୍ବ୍ୟବହାର ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ଇଣ୍ଟିଗ୍ରେଟେଡ B.EDର ଦ୍ଵିତୀୟ ବର୍ଷର ଜଣେ ଛାତ୍ରୀ । ବିଭାଗୀୟ ମୁଖ୍ୟଙ୍କ କଥାରେ ରାଜି ନହେବାରୁ ତାଙ୍କ ଉପରେ ରାଗ ସୁଝାଇବା ପାଇଁ B.EDର ୨ଟି ପେପରରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଗଲାନି । ଏଭଳିକି ୬ ବର୍ଷ ବସେଇ ଦେବେ ବୋଲି ଧମକ ଏଚଓଡି ଧମକ ଦେଇଥିବା ଅଭିଯୋଗ ହୋଇଛି । ୮ ମାସ ଧରି ନିର୍ଯାତନାର ଶିକାର ହେବା ପରେ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ଛାତ୍ରୀ। ଅନ୍ୟପଟେ କଲେଜର କିଛି ଅଧ୍ୟାପିକା ପୀଡ଼ିତା ଛାତ୍ରୀଙ୍କୁ ବୟାନ ବଦଳାଇବା ପାଇଁ ଚାପ ପକାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ଛାତ୍ରୀ କଲେଜ୍ ଅଧ୍ୟକ୍ଷ ଓ ପୁଲିସକୁ ଅବଗତ କରିଥିଲେ ।  କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟିରେ ଅନୁଧ୍ୟାନ କରିଥିଲା । ହେଲେ ଆଜି ହଠାତ ପ୍ରିନ୍ସପାଲ ଛାତ୍ରୀ ଜଣଙ୍କୁ ଡାକି ତାଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ । ଅଭିଯୋଗର ୧୨ ଦିନପରେ ଅଧ୍ୟାପକଙ୍କୁ କ୍ଲିନଚିଟ ଦେଇଥିଲା ଅଭିଯୋଗ କମିଟି। ସେପଟେ ଅଭିଯୋଗ ପ୍ରାମଣିତ ନହେଲେ ଛାତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ କଲେଜ ଅଧ୍ୟକ୍ଷ। ସବୁ ଆଡ଼ୁ ନିରାଶ ହେବା ପରେ ଛାତ୍ରୀ ଜଣଙ୍କ ଏପରି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ପୀଡ଼ିତା ଛାତ୍ରୀଙ୍କ ଉଦ୍ଧାର କରିବାକୁ ଯାଇ ଜଣେ ଛାତ୍ର ଆହତ ହୋଇଛନ୍ତି । ଏବେ ସେ ବାଲେଶ୍ବ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ନିଆଁରେ ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଛି । ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ଏସ୍‌ପି ନିଜେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଛାତ୍ରୀମାନଙ୍କ ସହପାଠୀ ମାନଙ୍କ ନିକଟରୁ ବୟାନ ନେଇଛି ପୋଲିସ । ସାଇଣ୍ଟିଫିକ୍ ଟିମ ସହାୟତାରେ ତଦନ୍ତ ଆରମ୍ଭ କରାଯାଇଛି ।  ପ୍ରଶ୍ନ ଉଠୁଛି, ଛାତ୍ରୀ ଜଣକ ଜଣେ ଅଧ୍ୟାପକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ । ହେଲେ କଲେଜ୍‌ ଆଭ୍ୟନ୍ତରୀଣ କମିଟି ଏହାକୁ ତଦନ୍ତ କରିବାକୁ ଏତେଦିନ ନେଲା କେମିତି ? ଛାତ୍ରୀ ଜଣଙ୍କର ପରିବାର ବର୍ଗଙ୍କୁ ଏ ନେଇ ଅବଗତ କରାଯାଇଥିଲା କି ନାହିଁ ?