ଗଜପତିରେ ଫେଲ୍ ମାରିଛି ଶିଶୁ ବିକାଶ ଯୋଜନା

ନନ୍ଦିଘୋଷ ବ୍ୟୁରୋ: ଫେଲ ମାରିଛି ଶିଶୁ ବିକାଶ ଯୋଜନା । ବିଫଳ ହେଉଛି ପୋଷଣ କାର୍ଯ୍ୟକ୍ରମ । ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟର ବିକାଶ ପାଇଁ କାର୍ଯ୍ୟ କରୁଛି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ । ଏହି ପ୍ରକଳ୍ପ ମାଧ୍ୟମରେ ଶିଶୁ ଓ ମହିଳା ସହ କିଶୋରୀ ବାଳିକାମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟର ଯତ୍ନ ନେବା ବ୍ୟବସ୍ଥା ରହିଛି। ହେଲେ ଗଜପତିରେ ଏହାର ଲକ୍ଷ୍ଯ ସମ୍ପୂର୍ଣ୍ଣ ଭ୍ରଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।
ଗଜପତିରେ ଫେଲ ମାରିଛି ଶିଶୁ ବିକାଶ ଯୋଜନା । ମହିଳା, ଶିଶୁ ଓ କିଶୋରୀଙ୍କୁ ସଠିକ ଭାବେ ଦିଆଯାଉନି ପୋଷଣ । ପୁଷ୍ଟିକର ଖାଦ୍ଯ ଅଭାବରୁ ଅନେକ ଏବେ ଅପପୁଷ୍ଟିର ଶିକାର । ପ୍ରତି ଗାଁରେ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟର ବିକାଶ ପାଇଁ କାର୍ଯ୍ୟ କରୁଛି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ । ଏହି ପ୍ରକଳ୍ପ ଜରିଆରେ ଶିଶୁ, କିଶୋରୀ ଗର୍ଭବତୀ ଓ ପ୍ରସୂତିଙ୍କୁ ଅଣ୍ଡା, ଛତୁଆ, ବାଦାମ ମିଶ୍ରିତ ଲଡୁ, ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ହେଲେ ଜିଲ୍ଲାରେ କେଉଁଠି ଅଙ୍ଗନବାଡ଼ି କୋଠା ନାହିଁ ତ କେଉଁଠି କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଅନେକ ହିତାଧିକାରୀ । ରାୟଗଡ ବ୍ଳକ ସାନତୁଣ୍ଡି ପଞ୍ଚାୟତ ଚେରୁ ସାହିରେ ଦୀର୍ଘ ବର୍ଷ ହେଲା ଅଙ୍ଗନବାଡ଼ି କେନ୍ଦ୍ର ଚାଲୁ ନଥିବା ବେଳେ କୋଠାଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି । ଅନ୍ୟ ଏକ ଗାଁରୁ ଅଙ୍ଗନବାଡ଼ି କର୍ମୀ, ମାସ ମାସ ବ୍ୟବଧାନରେ ଥରେ ଓଳିଏ ଆସି ଚାଲି ଯାଉଥିବା ଅଭିଯୋଗ ହୋଇଛି । ଫଳରେ ଏଠାରେ ଶିଶୁମାନଙ୍କର ସମସ୍ତ ଅଧିକାର କ୍ଷୁଣ୍ଣ ହେଉଛି । ସେହିଭଳି ନୂଆଗଡ ବ୍ଲକ ଖଜୁରୀପଦା ଗାଁରେ ଏକ ଭଡା ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଉପଯୁକ୍ତ କୋଠା ଓ ଭିତ୍ତିଭୂମି ନଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ କରିବାରେ ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି ଅଙ୍ଗନବାଡ଼ି କର୍ମୀ।
ସରକାରୀ ତଥ୍ୟ ଅନୁସାରେ, ବର୍ତ୍ତମାନ ଜିଲ୍ଲାରେ ୩୯୬ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଚିହ୍ନଟ ହୋଇଛନ୍ତି । ଅପପୁଷ୍ଟି ହାର ନିୟନ୍ତ୍ରଣ ପାଇଁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପୁଷ୍ଟିସାର ମିଶ୍ରିତ ରନ୍ଧାଖାଦ୍ୟ ସହ ଗୋଟିଏ ଶିଶୁ ପିଛା ମାସିକ ୨ କିଲୋ ୨୦୦ ଗ୍ରାମ ଛତୁଆ , ୧୨ଟି ଅଣ୍ଡା, ୧ କିଲୋ ୩୦୦ ଗ୍ରାମ ସୁଜି ଯୋଗାଇ ଦିଆଯାଉଛି । ସେହପରି ଗର୍ଭବତୀ ଓ ପ୍ରସୂତିଙ୍କୁ ୩ କିଲୋ ୬୦୦ଗ୍ରାମ ଛତୁଆ , ୧୨ ଟି ଅଣ୍ଡା, ୨୫ ଟି ବାଦାମ ଲଡୁ ଦିଆଯିବା ସହ କିଶୋରୀ ବାଳିକା ପାଇଁ ଅଧିକ ୪ ଟି ଅଣ୍ଡା ଦେବାକୁ ବ୍ୟବସ୍ଥା ରହିଛି । ଜିଲ୍ଲାରେ ୨ ହଜାର ୪୪୩ଟି ଅଙ୍ଗନବାଡି କେନ୍ଦ୍ରରେ ୫୩ ହଜାର ୩୫୫ ଶିଶୁ , ୧୧ ହଜାର ୩୮୬ କିଶୋରୀ, ୪୨୭୮ ଗର୍ଭବତୀ ଏବଂ ୩୩୭୮ ପ୍ରସୂତି ହିତାଧିକାରୀ ପଞ୍ଜିକୃତ ଅଛନ୍ତି । ହେଲେ ୨୪୪୩ କେନ୍ଦ୍ର ମଧ୍ୟରୁ ମାତ୍ର ୧୫୯୯ଟି କେନ୍ଦ୍ର ପରିଚାଳନା ହେଉଛି । କିନ୍ତୁ ବଳକା ୮୪୪ଟି କେନ୍ଦ୍ରରେ କୋଠା ନିର୍ମାଣ ହୋଇନାହିଁ । ଫଳରେ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ଜିଲ୍ଲାର ୩୫ ଭାଗ ଶିଶୁ କିଶୋରୀ ଓ ମହିଳା।
ପ୍ରଶାସନର ଅବହେଳାରୁ ଚାଲୁ ନାହଁ କେନ୍ଦ୍ର, ଠିକ୍ ସେ ବିତରଣ ହେଉନାହିଁ ପୋଷଣ ଖାଦ୍ୟ । ଯାହାର ସିଧା ପ୍ରଭାବ କୋମଳ ମତି ଶିଶୁ, ମହିଳା ଓ କିଶୋରୀ ବାଳିକାମାନଙ୍କ ଉପରେ ପଡୁଛି ।