ସୋନିଆଙ୍କୁ ଶିବାନନ୍ଦଙ୍କ ପରାମର୍ଶ,ପୁତ୍ରମୋହ ତ୍ୟାଗ କର

sivanand sonia

ପାଟନା: କଂଗ୍ରେସରେ ରାହୁଲଙ୍କ ନେତୃତ୍ୱ କ୍ଷମତାକୁ ନେଇ ବାଦ ବିବାଦ ଭିତରେ ଆଜି ସୁପ୍ରିମୋ ସୋନିଆ ଗାନ୍ଧୀ ଦଳର ସେହି ନେତାମାନଙ୍କୁ ସାକ୍ଷାତ କରୁଛନ୍ତି ଯେଉଁମାନେ ନେତୃତ୍ୱ ପରିବର୍ତ୍ତନ ଦାବି କରି ପତ୍ର ଲେଖିଥିଲେ । ଏହି ବୈଠକରେ ସୋନିଆଙ୍କ ସହ ରାହୁଲ ଓ ପ୍ରିୟଙ୍କା ମଧ୍ୟ ଉପସ୍ଥିତ ରହିବେ । ଅନ୍ୟପକ୍ଷରେ କଂଗ୍ରେସର ସହଯୋଗୀ ଦଳ ରାଷ୍ଟ୍ରୀୟ ଜନତା ଦଳ ସୋନିଆଙ୍କୁ ପୁତ୍ରମୋହ ତ୍ୟାଗ କରିବାକୁ ପରାମର୍ଶ ଦେଇଛି । ଆରଜେଡିର ବରିଷ୍ଠ ନେତା ଶିବାନନ୍ଦ ତିୱାରୀ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, କଂଗ୍ରେସ ବିନା ନାଉରୀରେ ଡଙ୍ଗା । ଏଭଳି କହି ସେ ରାହୁଲଙ୍କ ନେତୃତ୍ୱ କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଶିବାନନ୍ଦଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ରାହୁଲଙ୍କ ଠାରେ ଲୋକଙ୍କୁ ପ୍ରେରିତ କରିବାର କ୍ଷମତା ନାହିଁ । ଜନତାଙ୍କୁ ଛାଡନ୍ତୁ ତାଙ୍କ ନିଜ ଦଳର କର୍ମୀଙ୍କର ମଧ୍ୟ ତାଙ୍କ ଉପରେ ଭରସା ନାହିଁ । ତେଣୁ ଦେଶର ବିଭିନ୍ନ ସ୍ଥାନରେ ଲୋକ କଂଗ୍ରେସ ପ୍ରତି ବିମୁଖ ହେବାରେ ଲାଗିଛନ୍ତି । ଖରାପ ସ୍ୱାସ୍ଥ୍ୟାବସ୍ଥା ମଧ୍ୟରେ ସୋନିଆ କୌଣସି ମତେ ଦଳକୁ ଚଳାଉଛନ୍ତି । ମୋର ତାଙ୍କ ପ୍ରତି ସମ୍ମାନ ରହିଛି । କିନ୍ତୁ ଏବେ ସମୟ ଆସିଛି ତାଙ୍କୁ ପୁତ୍ରମୋହ ତ୍ୟାଗ କରିବାକୁ ପଡିବ । ଏବେ ସୋନିଆଙ୍କ ସାମ୍ନାରେ ପ୍ରଶ୍ନ ହେଉଛି ପାର୍ଟି କିମ୍ବା ପୁତ୍ର  । କିମ୍ବା ଏହି ପ୍ରଶ୍ନ ଏମିତି ବି ହୋଇପାରେ ପୁତ୍ର କି ଗଣତନ୍ତ୍ର ।

sonia rahul

ତିୱାରୀ କହିଛନ୍ତି ଯେ, ୨୦୦୪ରେ ଯେମିତି ସୋନିଆ ପ୍ରଧାନମନ୍ତ୍ରୀ ପଦକୁ ତ୍ୟାଗ କରି ଦେଶର ସ୍ୱାର୍ଥ ଦେଖିଥିଲେ ସେମିତି ଏବେ ତାଙ୍କୁ ପୁତ୍ରମୋହ ତ୍ୟାଗ କରି ଗଣତନ୍ତ୍ର କଥା ଚିନ୍ତା କରିବାକୁ ପଡିବ । ତେବେ ଏହି ପ୍ରେସ ବିଜ୍ଞପ୍ତିରେ ସେ ସ୍ପଷ୍ଟ କରି ଦେଇଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ମତ । ଦଳ ତାଙ୍କ ସହ ଏକମତ ନହୋଇ ପାରେ । ସୂଚନାଯୋଗ୍ୟ ଯେ, ଆଜି କଂଗ୍ରେସର ହେବାକୁ ଯାଉଥିବା ବୈଠକରେ ଦଳର ନେତୃତ୍ୱ କ୍ଷମତା ଗାନ୍ଧୀ ପରିବାର ହାତରେ ରହିବ କି ପରିବାର ବାହାର କାହାକୁ ନେତୃତ୍ୱ କ୍ଷମତା ମିଳିବ ସେ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି ।

Leave a Reply