ବଳଙ୍ଗା ଘଟଣାକୁ ବିତିଲା ୬ ଦିନ, ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ: ଅଜଣା ଭୟରେ ପୂରା ଗାଁ

ନନ୍ଦିଘୋଷ ବ୍ୟୁରୋ: ବଳଙ୍ଗା ଘଟଣାକୁ ବିତିଲାଣି ୬ ଦିନ । ପ୍ରତିଦିନ ୟାକୁ ତାକୁ ପଚରାଉଚରାରେ ଯାଉଛି ଦିନ । ହେଲେ ଅଭିଯୁକ୍ତଙ୍କ ବାବଦରେ ଟିକିଏ ବି ସୁରାକ ପାଉନି ପୋଲିସ । ଅନ୍ୟପଟେ ଘଟଣାକୁ ନେଇ ସ୍ତବ୍ଦ ହୋଇଯାଇଛି ପୂରା ଗାଁ । ନା ପୀଡ଼ିତାଙ୍କ ଘରେ ଚୁଲି ଜଳୁଛି, ନା କାହାର ମନ ଭଲ ଅଛି । ଅନ୍ୟପଟେ ଦିଲ୍ଲୀ ଏମ୍ସରେ ଝିଅର ଚିକିତ୍ସା ଚାଲିଛି । ଆଜି ସ୍କିନ ଗ୍ରାଫ୍ଟିଂ କରାଯାଉଛି । ପୁଣି ଥରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବାକୁ ଦିଲ୍ଲୀରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ ଟିମ୍ ।

ପୁରୀ ଜିଲ୍ଲା ବଳଙ୍ଗା ଥାନା ନୂଆ ଗୋପାଳପୁର ଗାଁ ଏବେ ପୂରା ସ୍ତବ୍ଦ । ଅଜଣା ଭୟରେ ଅଛି ପୂରା ଗାଁ । ପିଲାଙ୍କୁ ସ୍କୁଲ କି ଟ୍ୟୁସନ ଛାଡିବାକୁ ବି ଭୟ କରୁଛନ୍ତି ଗାଁ ଲୋକେ । ଏଭଳି ଏକ ସ୍ଥିତିରେ ସମସ୍ତେ ଅପେକ୍ଷା କରିଛନ୍ତି, କେବେ ପୋଲିସ ସେଇ ୩ ଦୁର୍ବୃତ୍ତଙ୍କୁ ଗିରଫ କରିବ । ପୋଲିସର ତଦନ୍ତ ପ୍ରକ୍ରିୟାର ଶିଥିଲତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗାଁ ଲୋକେ ।

ସେପଟେ ଆଜି ଦିଲ୍ଲୀ ଏମ୍ସରେ ପୀଡିତାଙ୍କର ସ୍କିନ ଗ୍ରାଫ୍ଟିଂ କରାଯାଇଥିବା ଜଣାପଡିଛି । ପୀଡିତାଙ୍କ ବୟାନ ରେକର୍ଡ ପାଇଁ ମଧ୍ୟ କ୍ରାଇମବ୍ରାଞ୍ଚ ଦିଲ୍ଲୀରେ ପହଞ୍ଚିଛି । ଡାକ୍ତରଙ୍କ ଅନୁମତି ନେଇ ପୀଡିତାଙ୍କ ବୟାନ ରେକର୍ଡ କରିବ କ୍ରାଇମବ୍ରାଞ୍ଚ । ଗାଁରେ ମାଆ, ଦାଦା, ଝିଅ ସହ କଥା ପଦେ ହୋଇ ପାରୁନାହାଁନ୍ତି । ଅଭିଯୁକ୍ତଙ୍କୁ ଶୀଘ୍ର ଧରି ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି ପୀଡିତାଙ୍କ ମା ।

ତଦନ୍ତ ପରେ ତଦନ୍ତ ଚାଲିଛି । ହେଲେ ଖିଅ ପାଉନି ପୋଲିସ । ପ୍ରତିଦିନ କାହାକୁ ନା କାହାକୁ ପଚରାଉଚରା କରାଯାଉଛି । କିନ୍ତୁ ଯେଉଁମାନେ ଏଭଳି କାଣ୍ଡ ଭିଆଇଥିଲେ ସେମାନଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ ।