ବ୍ଲୁ ହ୍ୱେଲ୍ ପରେ ଚିନ୍ତା ବଢ଼ାଇଲାଣି ‘ସ୍କଲ୍ ବ୍ରେକର’

ନୂଆଦିଲ୍ଲୀ: ଜମ୍ପିଂକୁ ନେଇ ଚ୍ୟାଲେଞ୍ଜ । ଡିଆଁ ନେଉଛି ଜୀବନ । ସୋସିଆଲ ମିଡିଆରେ ଏବେ ଏମିତି ଚ୍ୟାଲେଞ୍ଜ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିପାଇଁ କେତେ ଲୋକଙ୍କ ଜୀବନ ମଧ୍ୟ ଗଲାଣି । ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଏହାକୁ ‘ଟ୍ରିମ୍ପିଂ ଜମ୍ପ’ ବା ‘ସ୍କଲ୍ ବ୍ରେକର’ କୁହାଯାଉଛି ।ଏହି ‘ସ୍କଲ୍ ବ୍ରେକର’ ଚ୍ୟାଲେଞ୍ଜ ଭାବେ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଅନେକ ଲୋକଙ୍କ ହାତଗୋଡ଼ ଭାଙ୍ଗି ଯାଇଛି । ବ୍ଲୁ ହ୍ୱେଲ, ମମୋ ଚ୍ୟାଲେଞ୍ଜ ପରେ ଏହା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ବିଶେଷ କରି ଛୋଟ ପିଲା ଓ ଯୁବପିଢ଼ି ଏହାର ମାୟାରେ ପଡ଼ିଛନ୍ତି । ଟିକଟକରେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଯୁବପିଢ଼ି ଭିଡିଓ ଅପଲୋଡ୍ କରୁଛନ୍ତି ।ଦକ୍ଷିଣ ଆମେରିକାରୁ ଆରମ୍ଭ ହୋଇଥିବା ଏହି ଚ୍ୟାଲେଞ୍ଜ ଏବେ ସାରା ବିଶ୍ୱକୁ ବ୍ୟାପିଗଲାଣି । ବିଶେଷକରି କଲେଜ ଛାତ୍ରଛାତ୍ରୀ ଓ ସ୍କୁଲ୍ ପିଲା ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ମୃତ୍ୟୁମୁଖରେ ପଡ଼ୁଛନ୍ତି । ଗମ୍ଭୀରତାକୁ ଦେଖି ସ୍କୁଲ ଓ କଲେଜରେ ସଚେତନତା ସୃଷ୍ଟି ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି ।ତେବେ, ବର୍ତ୍ତମାନ ଯାଏଁ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି କେତେଜଣଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ । କିନ୍ତୁ, ଅନେକ ହାତଗୋଡ଼ ହରାଇ ମେଡିକାଲ ବେଡରେ ମରଣ ସହ ଜମ୍ପିଂର ମୁହୂର୍ତ୍ତକୁ ଭାବି ପାରୁନାହାଁନ୍ତି ।

Leave a Reply