ଚଳନ୍ତା ମୋଟର ସାଇକେଲରେ କାମୁଡିଲା ନାଗ..

1 min read

ଦିନ ପ୍ରାୟ ୧୨ ଟା ବାଜିବ । ସଡାଙ୍ଗୋଇ, ଡେଲାଙ୍ଗ, ପୁରୀ ସ୍ଥିତ ଏକ ଫର୍ଣିଚର ଦୋକାନରୁ ମୋଟର ସାଇକେଲ ଧରି ଘରକୁ ଖାଇବାକୁ ବାହାରିଲେ ସୁକାନ୍ତ ସାମନ୍ତରାୟ । ପିନ୍ଧିଥିଲେ ଏକ ଫୁଲ ଶାର୍ଟ ଏବଂ ହାଫ ପ୍ୟାଣ୍ଟ । ମାତ୍ର ଶହେ ମିଟର ଯିବା ପରେ ଡାହାଣ ପାଟ ଗୋଇଠି ଉପରକୁ କଣ ଗୋଟେ କାମୁଡ଼ିଲା ଭଳି ମନେହେଲା । ତାହାକୁ ଭ୍ରୂକ୍ଷେପ କଲେନି ସୁକାନ୍ତ । ସେହିପରି ମୋଟର ସାଇକେଲ ଚଳେଇବାକୁ ଲାଗିଲେ । ଆଉ ଶହେ ମିଟର ବାଟ ଯିବା ପରେ ଏଥର କିନ୍ତୁ ସମାନ ଜାଗାରେ କିଛି ଗୋଟେ ଜୋର ରେ କାମୁଡିବା ଭଳି କଣ ପଡିଲା ସୁକାନ୍ତଙ୍କୁ । ଡାହାଣ ଗୋଡକୁ ଅନେଇ ଦେଖନ୍ତି ତ ଗୋଇଠି ଉପରୁ ରକ୍ତ ବାହାରୁଛି ଏବଂ ମୋଟର ସାଇକେଲ ରେ ଏକ ନାଗ ସାପ ଫଣା ଟେକି ଠିଆ ହୋଇଛି । ବିକଳରେ ମୋଟର ସାଇକେଲ ହ୍ୟାଣ୍ଡେଲ ଛାଡି ତଳକୁ ଡେଇଁ ପଡିଲେ ସୁକାନ୍ତ । ଉଭୟ ଚାଳକ ଏବଂ ମୋଟର ସାଇକେଲ ତଳେ ପଡିଲା । ପାଖରେ ଥିବା ଲୋକେ ଧାଇଁ ଆସି ସୁକାନ୍ତକୁ ଖୋଲା ଯାଗାକୁ ନେଇ ଗଲେ । ତେବେ, ନାଗ ସାପ କୁ ଦେଖିବା ପରେ ଆଉ ମୋଟର ସାଇକେଲ କୁ କେହି ଉଠେଇଲେ ନାହିଁ ।

ସୁକାନ୍ତଙ୍କର ଦାଦା ପୁଅ ଭାଇ ଦିଲିପ ସାମନ୍ତରାୟ ଅନ୍ୟ ଏକ ମୋଟର ସାଇକେଲରେ ସୁକାନ୍ତଙ୍କୁ ବସେଇ କ୍ୟାପିଟାଲ ହସପିଟାଲ ଅଭିମୁଖେ ଦ୍ରୁତ ଗତି ରେ ଚଳେଇବାକୁ ଲାଗିଲେ । ତେବେ, ସୁନ୍ଦରପଦା ପାଖରେ ସୁକାନ୍ତଙ୍କୁ ଅନ୍ଧାର ଅନ୍ଧାର ଦେଖାଯିବା ସହିତ ତାଙ୍କର ମୁଣ୍ଡ ବୁଲାଉଥିବା କହିବାରୁ, ଦିଲ୍ଲିପ ମଧ୍ୟ ଭୟ ପାଇଗଲେ । ସୁନ୍ଦରପଦାରେ ଗୋଟିଏ ଦୋକାନ ପାଖରେ ନିଜର ମୋଟର ସାଇକେଲ ରଖି ଦେଇ, ଏକ ଅଟୋ ଭଡା କରି କ୍ୟାପିଟାଲ ହସପିଟାଲ କୁ ସୁକାନ୍ତଙ୍କୁ ପହଞ୍ଚେଇ ଥିଲେ । କ୍ୟାପିଟାଲ ହସ୍ପିଟାଲରେ ସୁକାନ୍ତଙ୍କର ଅବସ୍ଥା ଦେଖି ତୁରନ୍ତ ଚିକିତ୍ସା ଆରମ୍ଭ ହୋଇଥିଲା । ଡ୍ୟୁଟି ରେ ଥିବା ଡାକ୍ତର ପ୍ରଥମ ଡୋଜ ରେ ସୁକାନ୍ତ ଙ୍କୁ ୧୦ ଭାଏଲ ଆଣ୍ଟି ଭେନମ ଦେଇଥିଲେ । ସୁକାନ୍ତ ଅବସ୍ଥା ଏବ ଭଲ ଅଛି, ଏବଂ ସେ ସମ୍ପୂର୍ଣ୍ଣ ବିପଦ ମୁକ୍ତ ଅଛନ୍ତି ।

ତେଣେ, ସୁକାନ୍ତଙ୍କୁ କାମୁଡ଼ିଥିବା ନାଗ ସାପଟି ସେମିତି ରାସ୍ତାରେ ପଡିଥିବା OD 33 C 2589 ହିରୋ ମୋଟର ସାଇକେଲ ରେ ସେମିତି ଥିଲା । ସ୍ଥାନୀୟ ଲୋକେ ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଙ୍କୁ ଫୋନ କରି ଏଇ ଘଟଣା ବିଷୟରେ ଜଣେଇଥିଲେ । ଖବର ପାଇ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ପ୍ରାୟ 2 ଟା ବେଳେ ସଡାଙ୍ଗୋଇ ଗ୍ରାମରେ ପହଞ୍ଚିଲା ବେଳକୁ କିନ୍ତୁ ସାପଟି ଆଉ ଦେଖା ଯାଉ ନଥିଲା । ଯେହେତୁ ଶତାଧିକ ଲୋକେ ମୋଟର ସାଇକେଲ କୁ ଘେରିକି ଥିଲେ, ଏଣୁ ସାପ ନିଶ୍ଚୟ ଟା ଭିତରେ କେଉଁଠି ଅଛି କହିବା ପରେ ସୁଶାନ୍ତ ପ୍ରଥମେ ମୋଟର ସାଇକେଲ ର ସିଟ ଖୋଲିଲେ । ଟା ପରେ ଦୁଇ ପାଟ ସାଇଡ ପ୍ୟାନେଲ ଏବଂ ଚୟନ କଭର ମଧ୍ୟ ଖୋଲିଥିଲେ । ଚେନ ଷ୍ପକେଟ ଖୋଳିବା ପରେ ଭିତରେ ନାଗ ସାପ ଦେଖା ଗଲା । କିନ୍ତୁ ଚେନ ଷ୍ପକେଟ ରେ ପେଶୀ ହୋଇଯାଥିବାରୁ ତାକୁ ବାହାର କରିବା ସମ୍ଭବ ନଥିଲା । ଗାଡିକୁ ଟିକେ ପଛକୁ ଆଣିବା ପରେ ସାପ ଟି ଚେନ ରେ ପେଶୀ ହୋଇଥିବା ଅବସ୍ଥାରେ ବାହାରକୁ ଆସିଲା ସତ କିନ୍ତୁ, ଚେନ ଋ ବାହାରି ଉପରକୁ ଉଠିଗଲା । ଯତ୍ନ ର ସହିତ 3 ଫୁଟ ଲମ୍ବର ନାଗ ସାପଟି କୁ ଉଦ୍ଧାର କରିଥିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ । ସୁଶାନ୍ତ ବେହେରା କହିଛନ୍ତି “ସାପଟି କୁ ମୁଁ ଉଦ୍ଧାର କରିଲି ସତ କିନ୍ତୁ, ଯେହେତୁ ସାପର ଲାଙ୍ଗୁଳ ପଟୁ ଚେନ ଓ ଲିଭର ମଝିରେ ପେଶୀ ହୋଇ ତାର ଅନ୍ତଃବୁଜୁଳା ବାହାରି ପଡିଥିଲା, ତାହା ଆଉ ବଞ୍ଚିବା ଅସମ୍ଭବ” ।

ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି “ଏଇ ଭଳି ଚଳନ୍ତା ମୋଟର ସାଇକେଲ ରେ କାହାକୁ ନାଗ ସାପ କାମୁଡିବା ସମ୍ଭବତଃ ବିଶ୍ବରେ ପ୍ରଥମ ଘଟଣା । ଉପସ୍ଥିତ ଦେଖଣାହାରୀ ଲୋକମାନେ ସମୟ ନଷ୍ଟ ନକରି ଠିକ ସମୟରେ ସୁକାନ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚେଇ ଥିବାରୁ ତାଙ୍କର ଜୀବନ ବଞ୍ଚିଗଲା” ।