ସୋସିଆଲ ମିଡିଆରେ ଲାଇକ୍ ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଲୋକେ, ୭୨ ଘଣ୍ଟାରେ ଗଲାଣି ୮ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଲାଇକ ପାଇଁ ବିପଦରେ ଲାଇଫ । ସୋସିଆଲ ମିଡିଆରେ ଫଲୋଅର୍ସ ବଢାଇବାର ସାଂଘାତିକ ପରିଣାମ । ସାରାଦେଶରେ ୭୨ ଘଣ୍ଟାରେ ଗଲାଣି ଆଠ ଜଣଙ୍କ ମୂଲ୍ୟବାନ ଜୀବନ । କେବଳ ଯୁବପୀଢି ନୁହେଁ ବୟସ୍କ ଲୋକମାନେ ମଧ୍ୟ ସୋସିଆଲ ମିଡିଆର କ୍ରେଜରେ ପାଗଳ । ମୁମ୍ବାଇ, କାନପୁର, ଇଟୱା, ଚନ୍ଦ୍ରପୁରରୁ ଗତ ୭୨ ଘଣ୍ଟା ଭିତରେ ଆସିଛି ଏମିତି ଦୁଃଖଦ ଖବର । ମୁମ୍ବାଇରେ ସମୁଦ୍ର କୂଳରେ ବସି ଲହଡିର ମଜା ନେଉଥିଲେ ହଳେ ଦମ୍ପତି । ସୋସିଆଲ ମିଡିଆରେ ଅପଲୋଡ ପାଇଁ ଭିଡିଓ ମଧ୍ୟ ରେକର୍ଡ ହେଉଥିଲା ।

ନିଜ ପିଲାକୁ ଛାଡି ଉଭୟ ବାପାମାଆ ଢେଉ ମାଡିଆସୁଥିବାର ମଜା ଉଠାଉଥିଲେ । କିନ୍ତୁ ଏହି ଖୁସି ବେଶି ସମୟ ରହିନଥିଲା । ହଠାତ ଏକ ଉଚ୍ଚ ଢେଉ ମାଡ ହୋଇଥିଲା । ଆଉ ଭାସିଯାଇଥିଲେ ଦମ୍ପତି । କୌଣସି ପ୍ରକାରେ ସ୍ବାମୀଙ୍କୁ ଉଦ୍ଧାର କରାଯାଇ ପାରିଥିବା ବେଳେ ସ୍ତ୍ରୀ କିନ୍ତୁ ଭାସି ଜୀବନ ହରାଇଥିଲେ । ୟୁପିର ଇଟୱାରେ ଦୁଇ ଜଣ ଟିନ ଏଜରଙ୍କ ରିଲସ କରିବାର ପରିଣତି ବେଶ ଭୟଙ୍କର ହୋଇଛି ।

ସିଙ୍ଗର ନଦୀକୁ ଓହ୍ଲାଇ ଦୁଇ ଜଣ ରିଲସ କରୁଥିବାବେଳେ ହଠାତ ଜଣଙ୍କର ପାଦ ଖସିଯିବାରୁ ସେ ନଦୀରେ ଭାସିଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଆର ଜଣଙ୍କ ମଧ୍ୟ ଭାସିଗଲେ । ଏବେ ଜଣଙ୍କର ମୃତଦେହ ମିଳିଥିବାବେଳେ ଆଉ ଜଣେ ନିଖୋଜ ଅଛନ୍ତି । ସେହିପରି କାନପୁରରେ ମଧ୍ୟ ସମାନ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ଚନ୍ଦ୍ରପୁରରେ ମଧ୍ୟ ସେଲଫି ପାଇଁ ଯାଇଛି ୪ ଜୀବନ । ବର୍ଷାର ମଜା ଉଠାଇବାକୁ ଯାଇ ପୋଖରୀକୁ ଯାଇଥିଲେ ୪ ଯୁବକ । ଜଣକର ପାଦ ଖସିବାଯିବା ପରେ ତାକୁ ବଞ୍ଚାଇବାକୁ ଯାଇ ଅନ୍ୟ ୩ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି ।