ନା ଖାଦ୍ୟ ଖାଇଲେ, ନା ପୋଲିସକୁ ସତ କହିଲେ; ରାତିସାରେ କେବଳ ଗୋଟିଏ କଥା କହି ଚାଲିଲେ…

ନନ୍ଦିଘୋଷ ବ୍ୟୁରୋ : ମେଘାଳୟ ହନିମୁନ ମର୍ଡର ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହର ମାତ୍ର ଗୋଟିଏ ମାସରେ ନିଜ ମଥା ସିନ୍ଦୂର ନିଜେ ଲିଭାଇ ଦେଇଛି ସ୍ତ୍ରୀ । ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସ୍ତ୍ରୀ ସୋନମଙ୍କୁ  ଗିରଫ କରି  ୟୁପି ଗାଜିପୁରରୁ ମେଘାଳୟ ଶିଲଂକୁ ନିଆଯାଉଛି ।

ସୋନମ ସାରା ରାତି ନୀରବ ଆଉ ଉପାସ

ଗିରଫ ହେବା ପରେ ଶିଲଂ ପୋଲିସ ସୋନଙ୍କୁ ନିଜ ସହ ନେବା ବେଳେ, ସୋନମ ପୁରା ରାସ୍ତା ଚୁପ୍ ଥିଲେ ବୋଲି ପୋଲିସ କହିଛି । ଏହାଛଡ଼ା ତାଙ୍କୁ ଯାହା ବି ପ୍ରଶ୍ନ ପଚାରାଯାଉଥିଲା ସେ  ବାରମ୍ୱାର ମୋର ମୁଣ୍ଡବିନ୍ଧା ହେଉଛି ବୋଲି କହୁଥିଲେ । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଯେତେବେଳେ ତାଙ୍କୁ ଖାଇବାକୁ କୁହାଯାଇଥିଲା, ସେ ସିଧାସଳଖ ମନା କରିଦେଇଥିଲେ । ବାରମ୍ୱାର ଖାଇବାକୁ କୁହାଯାଇଥିଲେ ବି ସେ କିଛି  ଖାଇ ନଥିଲେ । ସୋନମ ଏହା ମଧ୍ୟ କହିଥିଲେ ଯେ ତାଙ୍କର ପ୍ରବଳ ମୁଣ୍ଡବିନ୍ଧା ହେଉଛି ଏବଂ ସେ ଶୋଇ ପାରୁନାହାନ୍ତି ।  ଶିଲଂ ପୋଲିସ ବିଶ୍ରାମ ଏବଂ ଖାଦ୍ୟ ପାଇଁ ରାସ୍ତାରେ ଅନେକ ଥର ଅଟକିଥିଲେ ,ହେଲେ ସୋନମ ଖାଇବାକୁ ରାଜି ହୋଇନଥିଲେ କିମ୍ୱା କାହା ସହ କଥା ହୋଇନଥିଲେ । ପୋଲିସ ତାଙ୍କ ସହିତ କଥା ହେବାକୁ ଚେଷ୍ଟା କରିବା ବେଳେ ସେ ସମ୍ପୂର୍ଣ୍ଣ ଚୁପ୍ ରହିଥିଲେ । ପ୍ରତ୍ୟେକଥର ସେ ସମାନ କଥା କହୁଥିଲେ ଯେ ମୋର ମୁଣ୍ଡବିନ୍ଧା ହେଉଛି ।

ସୋନମଙ୍କୁ କେମିତି ନିଆଯାଉଛି ଶିଲଂ ?

ସୋନମଙ୍କୁ ଗିରଫ କରାଯାଇ ଶିଲଂକୁ ନିଆଯାଉଛି । ଏହି ଗାଡିଟି ଏବେ ବିହାର ବକ୍ସର ଜିଲ୍ଲା ଦେଇ ପାଟନାରେ ପହଞ୍ଚିଛି । ଏହି ଯାତ୍ରାରେ ଉତ୍ତରପ୍ରଦେଶ ସୀମା ପାର କରିବା ପରେ ବିହାର ପୋଲିସର ସାହାଯ୍ୟ ନେଇଛି । ଏବେ ସୋନମଙ୍କୁ ପାଟନାରୁ କୋଲକାତାକୁ ବିମାନ ମାଧ୍ୟମରେ ନେବାର ଯୋଜନା ରହିଛି । ଏହା ପରେ ପାଟନାରୁ କୋଲକାତକୁ  ଏବଂ କୋଲକାତାରୁ ଗୌହାଟୀ ଏବଂ ତାପରେ ଶିଲଂ ନିଆଯିବ