ବିଜେଡିର ଗଡ଼ ସୋନପୁର ନିର୍ବାଚନ ମଣ୍ଡଳୀ

ସୋନପୁର: ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟରେ ରାଜନୈତିକ ପରିବେଶ ସରଗରମ ହୋଇ ଉଠିଛି । ତିନି ପ୍ରମୁଖ ରଜନୈତିକ ଦଳ ବିଜେଡି , ବିଜେପି ଓ କଂଗ୍ରେସ ବିଜୟ ବାନା ଉଡାଇବାକୁ ପ୍ରସ୍ତୁତି ଆରମ୍ଭ କଲେଣି । ଏହାରି ଭିତରେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବେଶ ଉଷ୍ମତା ଅନୁଭୂତ ହେଉଛି ।

୨୦୦୦ ମସିହାରୁ ବିଜେଡିର ଗଡ ଭାବରେ ପରିଚିତ ହୋଇଆସିଛି ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ । ତିନୋଟି ବ୍ଲକ ସୋନରପୁର ,ତରଭା, ଡୁଙ୍ଗୁରିପାଲି ଏବଂ ତରଭା ବିଜ୍ଞାପିତ ଅଚଂଳ ପରିଷଦ ଓ ସୋନପୁର ପୌରାଞ୍ଚଳକୁ ନେଇ ଗଠିତ ଏହି ନର୍ବାଚନ ମଣ୍ଡଳୀ । ଏଠାରେ ମୋଟ ୨ଲକ୍ଷ ୫୪ହଜାର ୬୯୬ ଭୋଟର ଥିବା ବେଳେ ପୁରୁଷ ଭୋଟର ହେଲେ ୧ଲକ୍ଷ ୩୧ହଜାର ୪୪୦ , ମହିଳା ଭୋଟର ୧ଲକ୍ଷ ୨୩ହଜାର ୨୪୪ ଓ ତୃତିୟ ଲିଙ୍ଗୀ ଭୋଟରଙ୍କ ସଂଖ୍ଯା ୧୨ଜଣ ।

ସେହିପରି ୬ହଜାର ୮୩୬ ଜଣ ନୂତନ ଯୁବ ଭୋଟର ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଭୋଟରଙ୍କ ମନ ଜିଣିବାକୁ ସବୁ ଦଳ ପ୍ରୟାସ କରୁଛନ୍ତି । ବିଜୁ ଜନତା ଦଳ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା  ସୁଉଚ୍ଚ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଲଡିଂ , ରାସ୍ତାଘାଟର ଉନ୍ନତିକରଣ , ବିଜୁସେତୁ , ଜଳ ସେଚନ ସୁବିଧା ଓ ମୁଖ୍ୟତଃ ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଜନା ଓ ନବୀନ କାର୍ଡକୁ ନେଇ ନିର୍ବାଚନ ଜିତିବାର ଆଶା ରଖିଛି । ସେହିପରି ଭାରତୀୟ ଜନତା ପାର୍ଟି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବର୍ଣ୍ଣପୁର ଜିଲ୍ଲାର ସ୍ୱପ୍ନ ଖୋର୍ଦ୍ଧା ବଲାଙ୍ଗୀର ରେଳଲାଇନ ସୋନପୁର ପର୍ଯନ୍ତ ପହଞ୍ଚାଇବାକୁ ମୁଖ୍ୟ ମୁଦା କରି ଏଥର ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇବ ବୋଲି କହିଛି । ସେହିପରି କଂଗ୍ରେସ ନିଜ ପ୍ରସଙ୍ଗ ନେଇ ମଇଦାନକୁ ଓହ୍ଲାଇବ।

୨୦୦୦ମସିହାରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ମେଣ୍ଟରେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିର କୁନ୍ଦୁରୁ କୁଶଳ ୬୪୧୪ ଖଣ୍ଡ ଭୋଟ ବ୍ଯବଧାନରେ ବିଜୟୀ ହୋଇଥିଲେ । ୨୦୦୪ ମସିହାରେ ପୁଣି ମିଳିତ ପ୍ରାର୍ଥି ଭାବରେ ବିଜେଡିର କୁନ୍ଦୁରୁ କୁଶଳ ୪୫,୯୭୬ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ବିନୋଦ ପାତ୍ର ୪୬,୬୫୫ ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସ ର ବିନୋଦ ପାତ୍ର ମାତ୍ର ୬୭୯ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । ୨୦୦୯ ମସିହାରେ ମେଣ୍ଟ ଭାଙ୍ଗିବା ପରେ ବିଜେପି ଓ ବିଜେଡି ଅଲଗା ନିର୍ବାଚନ ଲଢିଥିଲେ ।

ଏହି ନିର୍ବାଚନରେ ବିଜେଡିର ନିରଞନ ପୂଜାରୀ ୬୮,୮୪୪ ,ବିଜେପିର ନବକୃଷ୍ନ ଦନ୍ତା ୪୦,୫୩୭ ,  ଓ କଂଗ୍ରେସର ଜିତେନ୍ଦ୍ର ପଟ୍ଟନାୟକ ୩୬,୦୪୪ଖଣ୍ଡ ଭୋଟ ପାଇଥିଲେ । ବିଜେଡିର ନିରଞନ ପୁଝାରୀ ୨୮,୩୦୭ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ହରାଇଥିଲେ । ୨୦୧୪ ମସିହାରେ ବିଜେଡିର ନିରଞନ ପୂଝାରୀ ୯୩,୫୩୪ , ବିଜେପିର ପ୍ରମୋଦ ମହାପାତ୍ର ୪୨,୦୪୯ , କଂଗ୍ରେସର ସର୍ବେଶ୍ୱର ପୁରୋହିତ ୩୫,୭୯୫ ଖଣ୍ଡ ଭୋଟ ପାଇଥିଲେ। ବିଜେଡିର ନିରଞ୍ଜନ ପୂଜାରୀ ୫୧,୪୮୫ ଖଣ୍ଡ ଭୋଟ ବ୍ଯବଧାନରେ ବିଜୟୀ ହୋଇଥିଲେ । ୨୦୧୯ ନିର୍ବାଚନରେ ବିଜେଡିର ନିରଞ୍ଜନ ପୂଜାରୀ ୯୯,୦୭୩ , ବିଜେପିର ଅଶୋକ ପୂଜାରୀ ୭୩,୩୪୭ ,କଂଗ୍ରେସର ଚିତରଞନ ମିଶ୍ର ୨୩, ୩୨୬ଖଣ୍ଡ ଭୋଟ ପାଇଥିଲେ । ବିଜେଡିରୁ ପୁଣି ନିରଞ୍ଜନ ପୂଜାରୀ ୨୫ ହଜାର ୭୨୬ ଖଣ୍ଡ ଭୋଟ ବ୍ଯବଧାନରେ ବିଜୟୀ ହୋଇଥିଲେ । ଏଥର ନୂଆ ଭୋଟର ନିର୍ଣ୍ଣୟକ ହେବେ। ବିକାଶ ହିଁ ମୁଖ୍ଯ ପ୍ରସଙ୍ଗ ହେବ ।