ସୋନୁଙ୍କ ନାଁରେ ଚାଲିଛି ଠକେଇ, ସାମ୍ନାକୁ ଆସିଲା ସତ

 ନୂଆଦିଲ୍ଲୀ:   ମହାମାରୀ ସମୟରେ ଲୋକଙ୍କୁ ସହାୟତାର ହାତ ବଢାଇଥିଲେ ସୋନୁ ଏବଂ ଲୋକଙ୍କୁ ସାହାଯ୍ୟ କରିବାର ମିଶନ ଏବେ ମଧ୍ୟ ସେ ଜାରି ରଖିଛନ୍ତି । କିନ୍ତୁ ସୋନୁଙ୍କୁ ନେଇ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଖବର । ସୋନୁଙ୍କ ନାଁକୁ ବ୍ୟବହାର କରି ସୋସିଅଲ ମିଡିଆ ମାଧ୍ୟମରେ ଗରିବ ଲୋକଙ୍କୁ ଠକୁଛନ୍ତି କିଛି ବହୁରୂପିଆ । ନିକଟରେ ମୁଜାଫରପୁରରୁ ଏହିଭଳି ଏକ ଅପରାଧୀକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍। ଏହି ଠକ ଜଣକ ସୋନୁଙ୍କ ନାଁରେ ମିଛ ପ୍ରୋଫାଇଲ କ୍ରିଏଟ୍କରି ନିଜକୁ ସୋନୁଙ୍କ ପରାମର୍ଶଦାତା ବୋଲି କହୁଥିଲା । ପରେ ଘଟଣା ସାମ୍ନାକୁ ଆସିବା ପରେ ସାଇବର ପୋଲିସର ସହାୟତା ନେଇଥିଲେ ସୋନୁ ।

ଦୁଃଖୀ ମୁହଁରେ ହସ ଫୁଟାଇବା ପାଇଁ ଜୀବନରେ ଅନେକ ଲକ୍ଷ୍ୟ ରଖିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍। ଗତବର୍ଷ ଦେଶରେ ଲକଡାଉନ ଜାରି ହେବା ପରଠାରୁ ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଏକାଧିକ ଗରିବ ଲୋକଙ୍କୁ ସହାୟତାର ହାତ ବଢାଇଥିଲେ ସୋନୁ । ଶିକ୍ଷାପାଇଁ ଛାତ୍ରମାନଙ୍କୁ ସହାୟତା ,ବେରୋଜଗାରକୁ ନିଯୁକ୍ତି ଯୋଗାଇଦେବା, ନୂଆ ନୂଆ ସୁଯୋଗ ପ୍ରଦାନ କରିବା,ଅଭାବୀ ଲୋକଙ୍କୁ ଜୀବିକା ଯୋଗାଇଦେବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାର ଲକ୍ଷ୍ୟ ରଖିଛନ୍ତି ଏହି ପ୍ରସିଦ୍ଧ ଲୋକପ୍ରିୟ ଅଭିନେତା । ଲୋକଙ୍କ ପାଇଁ ଭଗବାନ ସାଜିଥିବା ସୋନୁ ତାଙ୍କ ମିଶନରେ ଏତିକିରେ ପୂର୍ଣ୍ଣଛେଦ ଦେଇନାହାଁନ୍ତି । ତାଙ୍କ ନାଁରେ ଠକେଇ ହେଉଥିବା ଜାଣିବା ପରଠାରୁ ନିରୀହ ଲୋକଙ୍କୁ ଠକୁଥିବା ଠକଙ୍କୁ ପାନେ ଦେବାପାଇଁ ସୋନୁ ପ୍ରସ୍ତୁତ ହୋଇ ସାରିଲେଣି ।

ନିକଟରେ ସେହିଭଳି ଠକଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସୋନୁ ସୁଦ୍। ସୋନୁଙ୍କ ମିଶନ ଦ୍ୱାରା ଲୋକଙ୍କ ସହିତ ପ୍ରତାରଣା କରୁଥିବା ଏକ ଠକ ସୋନୁଙ୍କ ରଡାରକୁ ଚାଲି ଆସିଛି । କେବଳ ସେତିକି ନୁହେଁ ବରଂ ଫ୍ରଡ୍ଲେଖା ହୋଇଥିବା ଷ୍ଟାମ୍ପ ସହିତ ଏହି ଠକର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଏହି ଅପରାଧୀ ବିହାରର ।

ଏଭଳି ଠକେଇ ଖବର ସାମ୍ନାକୁ ଆସିବା ପରେ ତେଲେଙ୍ଗାନାର ଜଣେ ବ୍ୟକ୍ତି ଏହି ଘଟଣା ବାବଦରେ ଥାନାରେ ଅଭିଯୋଗ କରିଥିଲେ, ଯାହାପରେ ବିବହାରର ଏହି ଅପରାଧୀକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ସୂଚନାଯୋଗ୍ୟ ଏହି ଠକ ସୋନୁଙ୍କ ନାଁରେ ଜଣେ ବ୍ୟକ୍ତିଙ୍କ ଠାରୁ ୬୦ ହଜାର ଟଙ୍କା ଠକି ନେଇଥିବା ଜଣାପଡ଼ିଛି ।

ତେବେ ଏହି ବ୍ୟକ୍ତିକୁ ଗିରଫ କରିଥିବାରୁ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ସୋନୁ । ଯଦି ସମୟ ଆସିବା ପୂର୍ବରୁ ସଜାଗ ନହୁଅନ୍ତି ତେବେ ଜଣକ ପରେ ଜଣେ ଠକ ସୋନୁଙ୍କ ରଡାର ମଧ୍ୟକୁ ଖୁବଶୀଘ୍ର ଆସିଯିବେ ବୋଲି ସୋନୁ କଡ଼ା ଚେତାବନୀ ଦେଇଛନ୍ତି ।

ତେବେ ସୋନୁଙ୍କ ପକ୍ଷେ ଏହା ପ୍ରଥମ ଘଟଣା ନୁହେଁ । ଗତବର୍ଷ ସୋନୁଙ୍କ ଚାରିଟିର କର୍ମଚାରୀ କହି ସୋସିଅଲ ମିଡିଆରେ ଲୋକଙ୍କୁ ଠକୁଥିଲେ । ଯାହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ସୋନୁ ।

Leave a Reply