ସୋରଡ଼ାରେ କିଏ ମାରିବ ବାଜି?

1 min read

ନନ୍ଦିଘୋଷ ବ୍ୟୁରୋ: ପ୍ରଚାରରେ କମ୍ପୁଛି ମଇଦାନ । ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀ ଦେଖିବ ବିଗ୍ ଫାଇଟ୍ । ଏକଦା ଏହି ନିର୍ବାଚନମଣ୍ଡଳିଟି କଂଗ୍ରେସ ଏବଂ ବିଜେପି ହାତରେ ରହିଥିବା ବେଳେ ଗତ ୨୦୦୯ ମସିହାଠାରୁ ଏହା ଲଗାତର ଭାବେ ବଜେଡି କବଜାରେ ରହିଛି l ତେବେ ଚଳିତ ନିର୍ବାଚନରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାହା ଦେଖିବାକୁ ବାକି ରହିଲା ।

ଗଞ୍ଜାମ ଜିଲ୍ଲାର ସୋରଡା ନିର୍ବାଚନମଣ୍ଡଳି ସୋରଡ଼ା ଓ ବେଲଗୁଣ୍ଠା । ୨ଟି ବ୍ଲକ ଓ ଦୁଇଟି ଏନଏସିକୁ ନେଇ ଗଠିତ l ମେ ୨୦ରେ ଏଠାରେ ପଡିବ ଭୋଟ । ୨ ଲକ୍ଷ ୩୫ ହଜାର ୩୪୧ ଜଣ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ଯସ୍ତ କରିବେ । ପୁରୁଷ ଭୋଟର ହେଲେ ୧ ଲକ୍ଷ ୨୩ ହଜାର ୧୨୬, ମହିଳା ୧ ଲକ୍ଷ ୧୨ ହଜାର ୧୯୮ ଥିବାବେଳେ ତୃତୀୟ ଲିଙ୍ଗୀ ଭୋଟର ମାତ୍ର ୧୭ ଜଣ । ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସଂଘମିତ୍ରା ସ୍ଵାଇଁ, ବିଜେପିରୁ ନୀଳମଣି ବିଷୋୟୀ ,କଂଗ୍ରେସରୁ ହରେକୃଷ୍ଣ ରଥ ମଇଦାନକୁ ଓହ୍ଲାଇଛନ୍ତି । ତିନି ପ୍ରମୁଖ ରାଜନୈତିକ ଦଳ ବିକାଶକୁ ଅସ୍ତ୍ର କରି ଲୋକଙ୍କୁ ଭିଡିବାକୁ ପ୍ରାଣମୂର୍ଚ୍ଛା ଉଦ୍ଯମ କରୁଛନ୍ତି ।

୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ୪୩ ହଜାର ୨୯୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ନୀଳମଣି ବିଷୋୟୀ ୩୯ ହଜାର ୨୮୮ ଖଣ୍ଡ ଭୋଟ ପାଇଥିଲେ । ୨୦୧୪ ନିର୍ବାଚନରେ ବିଜେଡିର ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ୬୭ ହଜାର ୫୪୬ ଖଣ୍ଡ ଭୋଟ ପାଇ ବିଜେତା ହୋଇଥିଲେ । ବିଜେପିର ଭଗବାନ ପଣ୍ଡା ୯ ହଜାର ୨୭୦, କଂଗ୍ରେସର ବସନ୍ତ ବିଷୋୟୀ ୫୧ ହଜାର ୫୪୬ଟି ଭୋଟ ପାଇଥିଲେ । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ୭୬ ହଜାର ୫୦୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ନୀଳମଣି ବିଷୋୟୀ ୬୨ ହଜାର ୫୦୫, କଂଗ୍ରେସର କେଶରୀ ମହାନ୍ତି ୭ ହଜାର ୨୯୩ ଭୋଟ ପାଇଥିଲେ । ତେବେ ଗତ ତିନିଟି ଯାକ ନିର୍ବାଚନରେ ବିଜେଡି ହିଁ ବାଜିମାତ କରି ଆସୁଛି ।