ଗୁଣିଗାରେଡି ସନ୍ଦେହରେ ପରିବାରର ୩ ଜଣ ସଦସ୍ୟଙ୍କୁ ନିସ୍ତୁକ

1 min read

ନନ୍ଦିଘୋଷ ବ୍ୟୁରୋ: ସୋର ଥାନା ମଲିଚୁଆ ଗାଁରେ ଅଭାବନୀୟ ଘଟଣା । ଗୁଣିଗାରେଡି ସନ୍ଦେହରେ ପରିବାରର ୩ ଜଣ ସଦସ୍ୟଙ୍କୁ ନିସ୍ତୁକ ମାଡ଼। ଯୁବକ, ସ୍ତ୍ରୀ ଓ ଭାଉଜକୁ ତିନି ଦିନ ବାନ୍ଧି ଗ୍ରାମବାସୀ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଯୁବକଙ୍କ ଗୋଡ଼ରେ ଜଞ୍ଜିରରେ ତାଲା ପକାଇବା ସହ ଅଟକ ରଖି ନିସ୍ତୁକ ମାଡ ମରାଯାଇଛି । ଉଦ୍ଧାର କରିବାକୁ ଯାଇଥିବା ବେଳେ ପୋଲିସ ଗାଡିକୁ କାଠ ଗର ପକାଇ ଅଟକ ରଖିଥିଲେ ଗ୍ରାମବାସୀ। ପୋଲିସ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଗୁରୁତର ଯୁବକଙ୍କୁ ପୋଲିସ ଲୋକଙ୍କ କବଳରୁ ଉଦ୍ଧାର କରି ସୋର ଡାକ୍ତଖାନାରେ ଭର୍ତ୍ତି କରିଛି । ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୋର ଥାନା ମହୁମୁହାଣ ପଞ୍ଚାୟର ମଲିଚୁଆ ଗାଁରେ ଭାଉଜ ଓ ପତ୍ନୀଙ୍କୁ ନେଇ ରୁହନ୍ତି ଚୈତା ସିଂ।

ଗାଁ ଅପେକ୍ଷା ଦେବଗିରି ପାହାଡ଼ ରହି ପକ୍ଷୀ ଓ ପଶୁଙ୍କର କଞ୍ଚା ମାଂସ ଖାଇ ଜୀବନ ବିତାଏ ଚୈତା। ଯେବେ ଗାଁକୁ ଫେରେ, ସେହିଦିନ ଗାଁରେ ଅଘଟଣ ଘଟିଥାଏ ବୋଲି ଅଭିଯୋଗ କରନ୍ତି ସ୍ଥାନୀୟ ବାସିନ୍ଦା। ଚୈତା ଗୁଣିକରି ଗାଁର କିଛି ଲୋକଙ୍କୁ ପାଗଳି କରି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏପରିକି ଦୁଇ ଶିଶୁଙ୍କୁ ମାରି ଦେଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ତିନି ଦିନ ତଳେ ଚୈତlକୁ ଗାଁ ଲୋକେ ଜଙ୍ଗଲରୁ ଧରି ନିସ୍ତୁକ ମାଡ ମାରି ତାଲା ପକାଇ ଅଟକ ରଖିଥିଲେ । ଆଜି ପୋଲିସ ଖବର ପାଇ ଚୈତାକୁ ଉଦ୍ଧାର ପାଇଁ ମଲିଚୁଆ ଗାଁକୁ ଯାଇଥିବା ବେଳେ, ଗ୍ରାମବାସୀ ପୋଲିସ ଗାଡିକୁ ଅଟକ ରଖିଥିଲେ । ପରେ ସ୍ଥାନୀୟ ଲୋକେ ମିଲିଚୁଆ ବାସୀଙ୍କୁ ବୁଝାସୁଝା କରିବାରୁ ଚୈତା ଓ ତାଙ୍କ ସ୍ତ୍ରୀ ଓ ଭାଉଜକୁ ଛାଡିଥିଲେ ଗ୍ରାମବାସୀ।