ମନ୍ତ୍ରୀ ପଦ ପାଇବା ପାଇଁ ଦଳକୁ ବ୍ଲାକମେଲିଂ କରୁଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ: ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର: ମନ୍ତ୍ରୀ ପଦ ପାଇବା ପାଇଁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲିଂ କରୁଛନ୍ତି ବୋଲି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ କହିଛନ୍ତି । ଏବେ ମନ୍ତ୍ରିମଣ୍ଡଳରେ ଗୋଟିଏ ମନ୍ତ୍ରୀ ପଦ ଖାଲି ଅଛି । ସେହି ମନ୍ତ୍ରୀ ପଦକୁ ହାତେଇବା ଲାଗି ନିଜ ଆଲେଖ୍ୟ ମାଧ୍ୟମରେ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲିଂ କରୁଛନ୍ତି ବୋଲି ଅନୁଭବ ଗଣମାଧ୍ୟମକୁ କହିବା ସହ ଟୁଇଟ୍ ମଧ୍ୟ କରିଛନ୍ତି । ସୌମ୍ୟ ବାବୁଙ୍କୁ ଜଣେ ସ୍ବାର୍ଥପର ବ୍ୟକ୍ତି ବୋଲି ଆକ୍ଷେପ କରିବା ସହ ଅତୀତରେ କିଭଳି ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସେ ବିଜେପିରୁ କଂଗ୍ରେସ, କଂଗ୍ରେସରୁ ଏନସିପି ଏବଂ ଏନସିପିରୁ ପୁଣି କଂଗ୍ରେସକୁ ଫେରିଥିଲେ । ପରବର୍ତ୍ତୀ ସମୟରେ ନିଜେ ଗୋଟିଏ ଦଳ ଗଠନ କରିଥିଲେ ଓ ତାକୁ ଛାଡି ବିଜେଡିରେ ଯୋଗ ଦେଇଥିଲେ ତାହା ଦର୍ଶାଇଛନ୍ତି ।

ଏବେ ବିଜେପିରେ ଯୋଗ ଦେବା ପାଇଁ ସମ୍ଭବତଃ ବ୍ୟଗ୍ର ବୋଲି ସେ ସୂଚାଇଛନ୍ତି । ସୌମ୍ୟଙ୍କୁ ଜଣେ ଅକୃତଜ୍ଞ ନେତା ବୋଲି ମଧ୍ୟ ସେ ଆକ୍ଷେପ କରିଛନ୍ତି । ଆଜି ନିଜ ଖବର କାଗଜ ସମ୍ବାଦରେ ସୌମ୍ୟରଞ୍ଜନ ପଟ୍ଟନାୟକ ଲେଖିଥିବା ଅପରାଜିତାଙ୍କ ଅଡୁଆ ପ୍ରଶ୍ନ ଶୀର୍ଷକ ଏକ ଆଲେଖ୍ୟ ପରିପ୍ରେକ୍ଷୀରେ ଅନୁଭବ ଏହା କହିଛନ୍ତି ।