ଏହି ଭାରତୀୟ କ୍ରିକେଟରଙ୍କ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ ହୋଇପାରେ ଶେଷ ଗସ୍ତ

1 min read

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୨୬ରେ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ । ଏହି ସିରିଜ୍ ପାଇଁ ଭାରତୀୟ ଦଳ ଆସନ୍ତା ଡିସେମ୍ବର ୧୬ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହି ସିରିଜରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଟେଷ୍ଟ ଓ ତିନୋଟି ଦିନିକିଆ ମ୍ୟାଚ ଖେଳିବ । ଦକ୍ଷିଣ ଆଫ୍ରିକା ଗସ୍ତ କିଛି ଭାରତୀୟ ଖେଳାଳିଙ୍କ ପାଇଁ ବେଶ୍ ଗୁରୁତ୍ୱ ବହନ କରିବ । ଯଦି ଭଲ ପ୍ରଦର୍ଶନ କରିବେ ତେବେ ଦଳରେ ରହିବେ ନହେଲେ ଟେଷ୍ଟ ଦଳରୁ ତାଙ୍କ ବାହାରେ ବସିବାକୁ ପଡ଼ିବ ।

ଆସନ୍ତା ଦକ୍ଷିଣ ଆଫ୍ରିକା ଗସ୍ତ ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ପାଇଁ ଶେଷ ସିରିଜ୍ ହୋଇପାରେ । କିଛି ଯୁବ ଦ୍ରୁତ ବୋଲର ଟେଷ୍ଟ କ୍ରିକେଟରେ ଦମଦାର ବୋଲିଂ କରୁଛନ୍ତି । ଜଶପ୍ରୀତ ବୁମ୍ରା ଓ ମହମ୍ମଦ ସାମିଙ୍କ ଦମଦାର ବୋଲିଂ ଫଳରେ ଇଶାନ୍ତ ଭାରତୀୟ ଦଳର ଲିଡ୍ ବୋଲର ଭୂମିକା ହରାଇ ସାରିଛନ୍ତି । ଇଶାନ୍ତ ବର୍ତ୍ତମାନ ତୃତୀୟ ଦ୍ରୁତ ବୋଲର ଭାବରେ ଦଳରେ ଖେଳୁଛନ୍ତି । କିନ୍ତୁ ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁରଙ୍କ ବୋଲିଂ ଏବେ ଇଶାନ୍ତଙ୍କ ପାଇଁ ଅଗ୍ନି ପରୀକ୍ଷା ସୃଷ୍ଟି କରିଛି । ସେହିପରି ଭାବରେ ପ୍ରସିଦ୍ଧ କ୍ରିଷ୍ଣା, ଆଭେସ ଖାନ ଓ ନବଦୀପ ସୈନି ବହୁ ସମୟ ଧରି ଅପେକ୍ଷା କରିଛନ୍ତି କେବେ ତାଙ୍କୁ ଟେଷ୍ଟ ଦଳରେ ଖେଳିବାକୁ ସୁଯୋଗ ମିଳିବ । ତେଣୁ ଦକ୍ଷିଣ ଆଫ୍ରିକା ଟେଷ୍ଟରେ ଯଦି ଭଲ ପ୍ରଦର୍ଶନ କରନ୍ତି ତେବେ ଇଶାନ୍ତ ଦଳରେ ରହିବେ ନହେଲେ ଏହି ଟେଷ୍ଟ ସିରିଜ ଇଶାନ୍ତଙ୍କ ପାଇଁ ଶେଷ ସିରିଜ ହେବ । କାହିଁକି ନା ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ପରେ ଭାରତ ତା’ର ପରବର୍ତ୍ତୀ ଟେଷ୍ଟ ସିରିଜ ଫେବ୍ରୁଆରୀ କିମ୍ବା ମାର୍ଚ୍ଚରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ । ଏହି ଟେଷ୍ଟ ସିରିଜ ଭାରତରେ ଖେଳାଯିବ । ଭାରତରେ ଟିମ୍ ଦୁଇଟି ଦ୍ରୁତ ଗତିର ବୋଲରଙ୍କ ସହ ପଡ଼ିଆକୁ ଓହ୍ଲାଇଥାଏ । ତେଣୁ ଦକ୍ଷିଣ ଆଫ୍ରିକା ସିରିଜ୍ ଇଶାନ୍ତଙ୍କ ପାଇଁ ଶେଷ ସିରିଜ୍ ହୋଇପାରେ ।

ଇଶାନ୍ତ ଶର୍ମାଙ୍କ ପରି ଭାରତୀୟ ଦଳର ଦୁଇ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଓ ଆଜିଙ୍କେ ରାହାଣେଙ୍କ ପାଇଁ ମଧ୍ୟ ଏହି ସିରିଜ୍ ଶେଷ ସୁଯୋଗ ।  ଟେଷ୍ଟ ଦଳର ଉପ ଅଧିନାୟକ ପଦରୁ ରାହାଣେଙ୍କୁ ବାହାର କରି ବିସିସିଆଇ ଏହି ସନ୍ଦେଶ ଦେଇଛି । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି କି ଏହି ଦୁଇ ବ୍ୟାଟ୍ସମ୍ୟାନ ଦକ୍ଷିଣ ଆଫ୍ରିକା ଗସ୍ତରେ ବଡ଼ ସ୍କୋର କରିବାକୁ ପଡ଼ିବ । ନହେଲେ ଆଗାମୀ ସିରିଜରେ ତାଙ୍କୁ ଦଳରୁ ବାହାରେ ରହିବାକୁ ପଡ଼ିବ । ପୂଜାରା ଗତ ୧୨ ମାସରେ ୧୩ ଟେଷ୍ଟ ମ୍ୟାଚ ଖେଳି ୬୮୬ ରନ ସଂଗ୍ରହ କରିଛନ୍ତି । ଏହି ମଧ୍ୟରେ ତାଙ୍କ ହାରିହାରି ୨୬.୮୨ ରହିଛି । ଯେତେବେଳେ କି ତାଙ୍କ କ୍ୟାରିୟର ହାରାହାରି ୪୪.୮୨ ଅଟେ । ତିନି ବର୍ଷ ପୂର୍ବେ ପୂଜାରାଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା ଶେଷ ଶତକ ।

ସେହିପରି ଯଦି ରାହାଣେଙ୍କ କଥା କହିବା ତାହାଲେ ରାହାଣେ ମଧ୍ୟ ତାଙ୍କ ଫର୍ମକୁ ଚିନ୍ତିତ । ଗତ ୧୨ ମାସରେ ୧୨ ମ୍ୟାଚ ଖେଳି ରାହାଣେ ମାତ୍ର ୪୧୧ ରନ ସଂଗ୍ରହ କରିଥିଲେ । ଖରାପ ଫର୍ମ ପାଇଁ ରାହାଣେଙ୍କ ହାତରୁ ଯାଇଥିଲା ଟେଷ୍ଟରେ ଉପ-ଅଧିନାୟକ ପଦ । ଅନ୍ୟପଟେ ଲଗାତର ଭାବରେ ଯୁବ ଖେଳାଳି ଦମଦାର ପ୍ରଦର୍ଶନ କରୁଛନ୍ତି ତେଣୁ ଉଭୟ ପୂଜାରା ଓ ରାହାଣେଙ୍କ ଦଳରେ ରହିବାକୁ ହେଲେ ଦକ୍ଷିଣ ଆଫ୍ରିକା ଟେଷ୍ଟରେ ବଡ଼ ସ୍କୋର କରିବାକୁ ପଡ଼ିବ ।

Leave a Reply