ସାବଧାନ ! ‘ସ୍ପେସାଲ ୨୬’ ନୁହେଁ, ଏଥର ସାବାଡ଼ କରିବ ‘ସ୍ପେସାଲ ୪୪’

1 min read
Special 44 Amit Shah

ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ଥିବା ଲୋକଙ୍କ ବିରୋଧରେ କେନ୍ଦ୍ର ସରକାର ବର୍ତ୍ତମାନ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛନ୍ତି । UAPA ସଂଶୋଧନ ବିଲ୍‌ର ନୂତନ ନିୟମ ଅନୁଯାୟୀ ପଞ୍ଜୀକୃତ ମାମଲାଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛନ୍ତି । ଏହି ଟିମ୍‌କୁ ସ୍ପେଶାଲ୍ ୪୪ ଭାବରେ ନାମିତ କରାଯାଇଛି । ଗୃହ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ, ଏହି ଟିମ୍‌ ଆତଙ୍କବାଦ ସହ ଜଡ଼ିତ କିମ୍ବା ଭାରତରେ ଆତଙ୍କବାଦୀଙ୍କ ସହ ଜଡିତ ଥିବା ସମସ୍ତ ବ୍ୟକ୍ତିଙ୍କ ସମ୍ପତ୍ତି ଉପରେ ନଜର ରଖିବ ।

କେଉଁମାନେ ରହିବେ ଏହି ଟିମ୍‌ରେ ?

ଏହି ଟିମ୍‌ରେ ୪୪ଜଣ ସ୍ୱତନ୍ତ୍ର ଅଧିକାରୀ ରହିବେ । ଇଣ୍ଟେଲିଜେନ୍ସ ବ୍ୟୁରୋ, ଫିନାନ୍‌ସିଆଲ୍‌ ଇଣ୍ଟେଲିଜେନ୍ସ, ଆରବିଆଇ, ଗୃହ ମନ୍ତ୍ରଣାଳୟ, ସେବି, ଏଟିଏସ୍ ଅଫ୍ ଷ୍ଟେଟ୍ସ, ରାଜ୍ୟ ସିଆଇଡି ଏବଂ ଅନ୍ୟାନ୍ୟ ବିଭାଗ ସାମିଲ ରହିବେ । ଏହି ଅଧିକାରୀମାନେ ଏପରି ବ୍ୟକ୍ତିଙ୍କ ଉପରେ ନଜର ରଖିବେ ଯେଉଁମାନଙ୍କ ବିରୋଧରେ UAPA ଅଧିନିୟମ ଅନୁଯାୟୀ ମାମଲା ପଞ୍ଜିକୃତ ହୋଇଛି । ଏହି ଅଧିକାରୀମାନେ ଆତଙ୍କବାଦୀଙ୍କ ସମ୍ପତ୍ତି ଉପରେ ନଜର ରଖିବେ । ଏହାସହ ସେମାନଙ୍କ ସମ୍ପତ୍ତି ଜବତ କରିବା ଏବଂ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ନିର୍ଦ୍ଦେଶ ଦେବେ ।

ଏଭଳି ରହିବ ସେମାନଙ୍କ କାମ

ଗୃହ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ଏହି ୪୪ ଅଧିକାରୀଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଜାତିସଂଘରେ ଆତଙ୍କବାଦୀ ଘୋଷିତ ଲୋକଙ୍କ ତାଲିକା ପ୍ରଦାନ କରିବ । ଯାହାକୁ ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରମାନଙ୍କୁ ମଧ୍ୟ ହସ୍ତାନ୍ତର କରିବ । ଗୃହ ମନ୍ତ୍ରଣାଳୟର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯେଉଁଥିରେ UAPA ଅଧିନିୟମ ଅନୁଯାୟୀ ଦୋଷୀ ବ୍ୟକ୍ତିଙ୍କୁ ଧରିବା ଏବଂ ତାଙ୍କ ସମ୍ପତ୍ତି ଜବତ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ । ୪୪ ସ୍ୱତନ୍ତ୍ର ଅଧିକାରୀ ବୈଦେଶିକ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ସହ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟ କରାଯିବ ।

ଏହା ବ୍ୟତୀତ ଗୃହ ମନ୍ତ୍ରଣାଳୟର ନୂତନ UAPA ନିୟମ ଅନୁଯାୟୀ, ଆତଙ୍କବାଦୀଙ୍କ ଯେଉଁ ତାଲିକା ଘୋଷଣା କରାଯାଇଛି ସେମାନଙ୍କ ସମ୍ପତ୍ତି ମଧ୍ୟ ଜବତ କରାଯିବ । ଗୃହ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଦାଉଦ ଇବ୍ରାହିମ, ମାସୁଦ ଅଜହର, ଜାକିର-ଉର-ରେହମାନ ଲକ୍ଷ୍ମୀ ଏବଂ ହାଫିଜ୍‌ ସଇଦଙ୍କୁ UAPA ଅଧିନିୟମ ଅନୁଯାୟୀ ଆତଙ୍କବାଦୀ ବୋଲି ଘୋଷଣା କରିଛି । ଏହାସହ ଆହୁରି ୯ ଜଣ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ବ୍ୟକ୍ତିଗତ ଭାବେ UAPA ଅଧୀନରେ ଆତଙ୍କବାଦୀ ଘୋଷଣା ମଧ୍ୟ କରାଯାଇଛି ।

UAPA

UAPA କ’ଣ ?

UAPA ଏକ ଅତ୍ୟନ୍ତ କଠୋର ନିୟମ ଏବଂ ଦେଶର ଅଖଣ୍ଡତା ତଥା ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଆତଙ୍କବାଦୀ ତଥା କାର୍ଯ୍ୟକଳାପକୁ ରୋକିବା ପାଇଁ ଏହି ନିୟମ କରାଯାଇଛି । ଏହି ଆଇନ୍‌ ୧୯୬୭ରେ ସଂସଦ ଦ୍ୱାରା ପାରିତ ହୋଇଥିଲା ଏବଂ ସେବେଠାରୁ ଏଥିରେ ଅନେକ ସଂଶୋଧନ ମଧ୍ୟ କରାଯାଇଛି । ଏହା ନିୟମ ଅଧିନରେ ଅଭିଯୁକ୍ତକୁ ସର୍ବନିମ୍ନ ସାତ ବର୍ଷ ଜେଲଦଣ୍ଡ ଦିଆଯାଇପାରେ ।

Leave a Reply